ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

ବଇଣ୍ଡା,୨୩।୬ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଟାପଢୋଲ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ବ୍ୟାପକ ଦୁର୍ନୀତି କରାଯାଉଥିବା ବୁଧବାର ସାନଦାଦର ଗ୍ରାମର କେତେଜଣ ଶ୍ରମିକ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ସେମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ଟାପଢୋଲ ପଞ୍ଚାୟତରେ ୧୨୩୬ ଜଣ ଜବକାର୍ଡଧାରୀ ଅଛନ୍ତି। ପଞ୍ଚାୟତର କେତେଜଣ ଠିକାଦାର ୬ ଶହରୁ ଅଧିକ ଜବ୍‌କାର୍ଡ ନିଜ ପାଖରେ ରଖି ମିଥ୍ୟାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବ୍ୟବହାର କରିବା ସହ ବିଲ୍‌ ଉଠାଉଛନ୍ତି। ସାନଦାଦର ମହାବନ୍ଧକୁ ପୁନଃରୁଦ୍ଧାର ପାଇଁ ୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଉକ୍ତ କାମକୁ ୨୫ ମେ ୨୦୨୩ରେ ଆରମ୍ଭ କରାଯାଇଥିବାବେଳେ ଶ୍ରମିକଙ୍କ ବଦଳରେ ମେଶିନ ବ୍ୟବହାର କରାଯାଇ ପୋଖରୀ ଖନନ କରାଯାଉଛି। ଉକ୍ତ କାମ ୬୦ ପ୍ରତିଶତ ସରିଥିବାବେଳେ ବିଳମ୍ବିତ ରାତିରେ ମଧ୍ୟ ପୋଖରୀ ଖୋଳାଯାଉଛି। ୨ଟି ଜେସିବି ମେଶିନ ସହ ୧୦ଟି ଟ୍ରାକ୍ଟର ନିୟୋଜିତ କରାଯାଇଛି। ଏହି ପଞ୍ଚାୟତରେ ଅନେକ କାମରେ ମେଶିନ ବ୍ୟବହାର କରାଯାଉଥିବାବେଳେ ଶ୍ରମିକଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ତୁରନ୍ତ ଭିଜିଲାନ୍ସ ଓ ଲୋକପାଳ ଜରିଆରେ ଏହାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଟାପଢୋଲ ସରପଞ୍ଚ ଚନ୍ଦ୍ର ଶେଖର ସାହୁ କୁହନ୍ତି, ଉକ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ମେଶିନ ଲାଗିନାହିଁ।