ଆମ୍ବ, ନଡ଼ିଆ, କାଜୁ ବଗିଚା ନାଁରେ ଅର୍ଥ ଆତ୍ମସାତ୍‌

କୋରେଇ,୨୯।୬(ଚନ୍ଦ୍ରକାନ୍ତ ପତି): କୋରେଇ ବ୍ଲକର ବିଭିନ୍ନ ପଞ୍ଚାୟତ ତଥା ଗାଁ ଗହଳିର ହିତାଧିକାରୀଙ୍କ ନାମରେ ଆମ୍ବ, ନଡ଼ିଆ, କାଜୁ ଆଦି ମିଥ୍ୟା ବଗିଚା ସୃଷ୍ଟି କରି ଉଦ୍ୟାନ ବିଭାଗର କେତେଜଣ କର୍ମଚାରୀ ସମସ୍ତ ଅର୍ଥ ଆତ୍ମସାତ୍‌ କରିଛନ୍ତି। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଉଦ୍ୟାନ ବିଭାଗ ପକ୍ଷରୁ ଗତ ୪ ବର୍ଷ ମଧ୍ୟରେ ଜିଲାରେ ୫,୦୨୫ଟି ଆମ୍ବ, କାଜୁ ଏବଂ ନଡ଼ିଆ ବଗିଚା ସୃଷ୍ଟି କରାଯାଇଛି। ଏଥିମଧ୍ୟରୁ ୩,୩୨୬ଟି ବଗିଚା ସମ୍ପୂର୍ଣ୍ଣ ହୋଇଥିବାବେଳେ ୧,୬୯୯ଟି ବଗିଚାର କାମ ଚାଲୁରହିଛି। କେବଳ କୋରେଇ ବ୍ଲକରେ ୧୩୬ ଜଣ ହିତାଧିକାରୀଙ୍କ ବଗିଚାରେ ଚାରାରୋପଣ କାର୍ଯ୍ୟ ଚାଲୁ ରହିବା ସହ ୨୫୫ ଜଣ ହିତାଧିକାରୀ ବଗିଚା ସମ୍ପୂର୍ଣ୍ଣ ହୋଇଥିବା ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ହେଲେ ହିତାଧିକାରୀମାନଙ୍କୁ ଭେଟିଲେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ଜଣାପଡୁଛି। କେବଳ କାଗଜକଲମରେ ଆମ୍ବ, ନଡ଼ିଆ, କାଜୁ ବଗିଚା ସୃଷ୍ଟି କରାଯାଇ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିି ଯୋଜନା) ମାଧ୍ୟମରେ ବିପୁଳ ଅର୍ଥ ଆତ୍ମସାତ୍‌ ହୋଇଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅନ୍ଧାରୀ ପଞ୍ଚାୟତର ତ୍ରିଲୋଚନ ମିଶ୍ରଙ୍କ ନାମରେ ଆମ୍ବ ବଗିଚା ନାମରେ ୪୯ ହଜାର ଟଙ୍କାର ବିଲ୍‌ କରାଯାଇଥିବାବେଳେ ବାସ୍ତବରେ ତ୍ରିଲୋଚନଙ୍କ କୌଣସି ଆମ୍ବ ବଗିଚା ନ ଥିବା ଜଣାପଡ଼ିଛି। ଅନୁରୂପ ଭାବରେ ନିତ୍ୟାନନ୍ଦ ଦାସଙ୍କ ନାମରେ ୯୫ ହଜାର ଟଙ୍କାର ମିଥ୍ୟା ବିଲ୍‌ କରାଯାଇଛି। ସେହି ପଞ୍ଚାୟତର ମହେନ୍ଦ୍ର ମହାକୁଡ଼, ଅଲେଖ ମହାକୁଡ଼, ଆଦିକନ୍ଦ ଦାସ, ପ୍ରସନ୍ନ କୁମାର ଦାସ, ପ୍ରକାଶ ଚନ୍ଦ୍ର ଦାସ, ରଙ୍ଗଲତା ଖୁଣ୍ଟିଆ, ପର୍ଶୁରାମ ଦାସ, ଅନାମ ଦାସ, କପିଳ ଚନ୍ଦ୍ର ଦାସ ପ୍ରମୁଖ ହିତାଧିକାରୀଙ୍କ ନାମରେ ମିଥ୍ୟା କାଜୁ ବଗିଚା ଏବଂ ନଡ଼ିଆ ବଗିଚା ଦର୍ଶାଇ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଛି। ହିତାଧିକାରୀଙ୍କୁ ଭେଟିଲେ କୌଣସି ଗଛର ଚିହ୍ନବର୍ଣ୍ଣ ମିଳୁନାହିଁ। ଅନ୍ୟ କେତେଜଣ ହିତାଧିକାରୀଙ୍କୁ ଅଧା ଚାରା ଦେଇ ଅଧା ବାହାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି କମ୍ପୋଷ୍ଟ, ପ୍ଲାଷ୍ଟିକ ଜାଲି ଆଦି ସାମଗ୍ରୀ ଏବଂ ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ନ ଦେଇ ଏହାକୁ ଅଧିକାରୀମାନେ ଆତ୍ମସାତ୍‌ କରିଥିବା ଅଭିଯୋଗ ହେଉଛି। କେବଳ ଅନ୍ଧାରୀ ପଞ୍ଚାୟତ ନୁହେଁ, କୋରେଇ ବ୍ଲକର ସମସ୍ତ ପଞ୍ଚାୟତରେ ଏହି ଦୁର୍ନୀତି ଚରମସୀମାରେ ପହଞ୍ଚିଛି। ଏନେଇ ଉଦ୍ୟାନ ସମ୍ପ୍ରସାରଣ ସାଥୀ କାଳନ୍ଦୀ ଚରଣ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ପୂର୍ବରୁ କ’ଣ ହେଉଥିଲା ସେ ଜାଣିନାହାନ୍ତି, ଏବେ ଠିକ୍‌ ଚାଲିଛି ବୋଲି ସେ କହିଛନ୍ତି ।