ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ଫୁଲବାଣୀ ଅଫିସ, ୨୯ା୪: କନ୍ଧମାଳ ଜିଲା ଫୁଲବାଣୀ ପୌର ପରିଷଦରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ଗୋଟିଏ ଗୋଟିଏ ପରିବାର ୪ରୁ ୫ଟି ଆବାସ ହାତେଇଛନ୍ତି। ଏପରିକି ଜଣେ ପୂର୍ବତନ କାଉନସିଲର ୪ଟି ଆବାସ ନେଇଛନ୍ତି। ମାତ୍ର ସ୍ଥଳ ବିଶେଷରେ ପ୍ରକୃତ ହିତାଧିକାରୀଙ୍କୁ ଘର ଖଣ୍ଡେ ମିଳୁନାହିଁ। ଗତ ୨୧ ତାରିଖରେ ଆବାସ ବଣ୍ଟନକୁ ନେଇ ପାଟିତୁଣ୍ଡ ହୋଇଥିଲା। ଫଳରେ ଉକ୍ତ ଦିନ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ପୌର ପରିଷଦ କାର୍ଯ୍ୟାଳୟରେ ଏବେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ସମସ୍ତ ବିଭାଗରେ ଭିଜିଲାନ୍ସ ତଦନ୍ତ ପାଇଁ ପୌର ପରିଷଦର କେତେଜଣ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଜନସାଧାରଣ ମଧ୍ୟ ଏହି ଦାବି କରିଛନ୍ତି।
ଗାଇଡ ଲାଇନକୁ ଉଲ୍ଲଂଘନ କରାଯାଇ ହିତାଧିକାରୀ ଚୟନ କରାଯାଇଛି। ସେହିପରି ଉଷା ସର୍ଭେରେ ମଧ୍ୟ ଅନିମିୟତା ହୋଇଛି। ଚାକିରିଆ ଓ ଥିଲାବାଲାଙ୍କୁ ଚୟନ କରାଯାଇଛି। ଏପଟେ ବହୁ ଗରୀବ ଲୋକେ ଘର ଖଣ୍ଡେ ନ ପାଇ ଯୋଜନାରୁ ବଞ୍ଚିତ ରହିଛନ୍ତି। ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଜାଗ୍ରତ କନ୍ଧମାଳର ମୁଖ୍ୟ ସମ୍ପାଦକ ସତ୍ୟ ନାରାୟଣ ବେହେରା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଫୁଲବାଣୀ ପୌର ପରିଷଦ ବିଜୁ କଲ୍ୟାଣ ମଣ୍ଡପଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ରହିଥିଲାା ଏଥିପାଇଁ ପୌର ପରିଷଦ ପକ୍ଷରୁ ବିଭିନ୍ନ ୱାର୍ଡର ୩୫୦ ହିତାଧିକାରୀଙ୍କୁ ଡକାଯାଇଥିଲା। ହେଲେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ହିତାଧିକାରୀ ପାଟିତୁଣ୍ଡ କରିଥିଲେ। କାଉନସିଲରମାନେ ମଧ୍ୟ ତାଲିକାର ପୁନଃ ସମୀକ୍ଷା ପାଇଁ ଦାବି କରିଥିେଲେ। ଫଳରେ ଏ ପର୍ଯ୍ୟନ୍ତ କାର୍ଯ୍ୟାଦେଶ ବଣ୍ଟନ ହୋଇନାହିଁ।

Share