ଚଞ୍ଚକତା କରି ସଂଘ ଟଙ୍କା ହଡ଼ପ

ବାଲେଶ୍ୱର ଅଫିସ,୧୩।୧୨: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ଆର୍ମଳା ପଞ୍ଚାୟତର ବାବା ଆର୍ତ୍ତେଶ୍ୱର ସ୍ବୟଂ ସହାୟକ ସଂଘ (ଏସ୍‌ଏଚ୍‌ଜି)ର ସଭାପତି ଓ ସମ୍ପାଦିକା ସଂଘ ନାମରେ ବିଭିନ୍ନ ପ୍ରକଳ୍ପ ଆଣି ସଦସ୍ୟାଙ୍କୁ ନ ଜଣାଇ ମନମୁଖୀ କାର୍ଯ୍ୟ କରିବା ସହ ସଂଘ ନାମରେ ଅର୍ଥ ଲୁଟ୍‌ କରିବା ନେଇ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ବାବା ଆର୍ତ୍ତେଶ୍ୱର ସ୍ବୟଂ ସହାୟକ ସଂଘର ସମ୍ପାଦିକା ସୁକାନ୍ତି ଲେଙ୍କା ରେମୁଣା ବ୍ଲକ ମହାସଂଘର ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସମୟରେ ରେମୁଣା ବ୍ଲକ ମାଧ୍ୟମରେ ଆସୁଥିବା ଟ୍ରେନିଂ ପ୍ରୋଗ୍ରାମ, ସଚେତନତା କାର୍ଯ୍ୟକ୍ରମ ଭଳି କେତେକ ସରକାରୀ ପ୍ରକଳ୍ପକୁ ଉକ୍ତ ସଂଘ ନାମରେ ଆଣି କାର୍ଯ୍ୟ କରିଚାଲିଛନ୍ତି। ଏ ସମ୍ପର୍କରେ ସଂଘର ସଦସ୍ୟାମାନଙ୍କୁ ନ ଜଣାଇ ବିଭିନ୍ନ ଆଳରେ ସଦସ୍ୟାମାନଙ୍କ ସ୍ବାକ୍ଷର କରାଇ ନେଇ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଇବା ସହ ବ୍ଲକର ପଦାଧିକାରୀଙ୍କ ସହ ମିଶି ଉକ୍ତ କାର୍ଯ୍ୟକ୍ରମର ଲାଭାଂଶକୁ ଚଞ୍ଚକତା ପୂର୍ବକ ନିଜେ ରଖୁଛନ୍ତି। ସଦସ୍ୟାମାନେ ଏହା ଜାଣିପାରି ତାଙ୍କୁ ପଚାରିବାରୁ କୌଣସି ଉତ୍ତର ନ ଦେବା ସହ ସେମାନଙ୍କ ଉପରେ କ୍ଷୁବ୍ଧ ହେଉଛନ୍ତି। ଅନ୍ୟପକ୍ଷରେ ସୋମନାଥପୁର ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରେ ଖୋଲାଯାଇଥିବା ସଂଘର ଖାତାକୁ ଯାଞ୍ଚ କରିବା ପରେ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି। ସଭାପତି ସସ୍ମିତା ମହାପାତ୍ର ଓ ସମ୍ପାଦିକା ଲେଙ୍କା ଉକ୍ତ ଟଙ୍କା କାରବାର ସମ୍ପର୍କରେ ସଦସ୍ୟାମାନଙ୍କୁ ଅନ୍ଧାରରେ ରଖିଥିବା ଅଭିଯୋଗରେ ଦର୍ଶାଯାଇଛି। ସଂଘର ସଦସ୍ୟା ମମତା ପଣ୍ଡା, ଗୌରୀମଣି ଆଚାର୍ଯ୍ୟ, ରାଜସ୍ମିତା ପଣ୍ଡା, ସବିତା ରାଣୀ ପ୍ରଧାନ, ତିଳୋତ୍ତମା ପ୍ରଧାନ, ଆରତୀ ବାରିକ, ଶିବାନୀ ମହାପାତ୍ର ପ୍ରମୁଖ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଏଥିସହିତ ଏହାର ଅବିକଳ ନକଲ ବ୍ଲକ ଚେୟାରମ୍ୟାନ୍‌, ବିଡିଓଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।
ଏନେଇ ସଂଘର ସମ୍ପାଦିକା ସୁକାନ୍ତି ଲେଙ୍କା କହନ୍ତି, ମହାସଂଘର ସଭାପତି ଥିବାରୁ କୃଷି ବିଭାଗ ପକ୍ଷରୁ ଖରିଫ୍‌ ଚାଷ ପାଇଁ ୧୫ଦିନିଆ ଏବଂ ରବି ଚାଷ ପାଇଁ ୬ ଦିନିଆ ବିହନ ସଂଶୋଧନ ଟ୍ରେନିଂ କାର୍ଯ୍ୟକ୍ରମ ୧୫ଟି ପଞ୍ଚାୟତ ପାଇଁ ମିଳିଥିଲା। ଏଥିପାଇଁ ୮୭ହଜାର ଓ ୪୦ହଜାର ଟଙ୍କା ସଂଘ ଖାତାକୁ ଆସିଛି ଓ ଖର୍ଚ୍ଚ ମଧ୍ୟ ହୋଇଛି। ଅନ୍ୟପକ୍ଷରେ ବ୍ଲକରେ କରାଯାଇଥିବା ସିଆର୍‌ପି (କ୍ଲଷ୍ଟର ରିସର୍ଚ୍ଚ ପ୍ରୋଗ୍ରାମ) ପାଇଁ ୨ଲକ୍ଷ ୬୮ହଜାର ଟଙ୍କା ସଂଘ ଖାତାକୁ ଆସିଥିବା ବେଳେ ଅଧିକାରୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି। ଏ ସମସ୍ତ କାର୍ଯ୍ୟକ୍ରମ ପାଇଁ ସଂଘର ସଦସ୍ୟାମାନେ ଭଲ ଭାବେ ଜାଣିଶୁଣି ଲିଖିତ ସମ୍ମତି ଜଣାଇଥିଲେ। ଅଭିଯୋଗ କରୁଥିବା ସଦସ୍ୟାମାନେ କୌଣସି କାର୍ଯ୍ୟ ନ କରି ଅର୍ଥ ଦାବି କରିଥିଲେ। ଏହା ସମ୍ଭବ ନ ହେବାରୁ ଅଭିଯୋଗ ଆଣିଛନ୍ତି। ଯାହା ଭିତ୍ତିହୀନ ବୋଲି ସେ ପ୍ରକାଶ କରିଛନ୍ତି।