ଟିକା ନେବା ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ନୂଆପଡ଼ା ଅଫିସ,୭।୮: କରୋନା ଟିକା ନେବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି। ମହିଳା ଜଣକ ହେଲେ ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ପଞ୍ଚାୟତ ହୀରାପୁର ଗାଁର ମହିଳା କୁମାରୀ ବନ୍ଦିଛୋର (୨୫)। ଏନେଇ ସିନାପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ହେଲେ କରୋନା ଟିକାରେ ନୁହେଁ ବରଂ ଏହା ଏକ ଅସ୍ବାଭାବିକ ମୃତ୍ୟୁ ବୋଲି ବିଡିଓ ସଦାଶିବ ନାଏକ କହିଛନ୍ତି। ମହିଳାଙ୍କ ରକ୍ତହୀନତା ଥିବାରୁ ଏଭଳି ଘଟିଥିବା ସିନାପାଲି କୋଭିଡ୍‌ ନୋଡାଲ ଡାକ୍ତର ଭୈରବ ଚରଣ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ସିନାପାଲି ବ୍ଲକ ଟିମନପୁର ପଞ୍ଚାୟତ ହୀରାପୁର ଗାଁରେ ଗୁରୁବାର ଟିକାକରଣ କରାଯାଇଥିଲା। ଗ୍ରାମର କୁମାରୀ ବନ୍ଦିଛୋର ଟିକା ନେଇଥିଲେ। ରାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଚେତାଶୂନ୍ୟ ହୋଇପଡିଥିଲେ। ପରିବାର ଲୋକେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।