ପ୍ରାର୍ଥିପତ୍ର ଯାଞ୍ଚରେ ଚଞ୍ଚକତା ଅଭିଯୋଗ

ଖମାର,୨୪ା୧(ଡି.ଏନ.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ବଡସଡ଼ା ପଞ୍ଚାୟତର ସମିତି ସଭ୍ୟ ପଦବୀ ପାଇଁ ଦାଖଲ ହୋଇଥିବା ୮ ପ୍ରାର୍ଥିପତ୍ର ଯାଞ୍ଚ ବେଳେ ରବିବାର ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି। ବ୍ଲକ ପକ୍ଷରୁ ପୂର୍ବାହ୍ନ ୧୧ଟାରେ ଲଗାଯାଇଥିବା ଗୋଟିଏ ନୋଟିସରେ ୭ ଜଣଙ୍କ ନାମ ଥିବାବେଳେ ଏହାର ଦୁଇଘଣ୍ଟା ପରେ ୮ ଜଣଙ୍କ ନାମ ଥିବା ଆଉ ଏକ ନୋଟିସ ଲଗାଯାଇଛି। ଫଳରେ ଯାଞ୍ଚ ପ୍ରକ୍ରିୟାର ସ୍ବଚ୍ଛତା ନେଇ ୭ ସମିତି ସଭ୍ୟ ପ୍ରାର୍ଥୀ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ସେମାନେ ବିଡିଓଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବଡ଼ସଡ଼ା ପଞ୍ଚାୟତରୁ ସମିତି ସଭ୍ୟ ପଦବୀ ପାଇଁ ମୋଟ୍‌ ୮ ଜଣ ଡିଲେଶ୍ୱର ପ୍ରଧାନ, ପ୍ରକାଶ କୁମାର ବିଶ୍ବାଳ, ବିକାଶ ସ୍ବାଇଁ, ବୁଲୁ ରାଜହଂସ, ରମେଶ ଚନ୍ଦ୍ର ବେହେରା, ସିପୁନ ଗଡ଼ନାୟକ, ସୌମ୍ୟରଂଜନ ବିଶ୍ୱାଳ ଓ ରଞ୍ଜିତ କୁମାର ବିଶ୍ବାଳ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରବିବାର ଯାଞ୍ଚ ପରେ ନିର୍ବାଚନ ଅଧିକାରୀ ତଥା ବିଡିଓଙ୍କ ଦ୍ୱାରା ପୂର୍ବାହ୍ନ ୧୧ଟାରେ ୭ ଜଣଙ୍କ ନାମ ଥିବା ଏକ ନୋଟିସ ଲଗାଯାଇଥିଲା। ଉକ୍ତ ନୋଟିସରେ କେବଳ ରଞ୍ଜିତ କୁମାର ବିଶ୍ୱାଳଙ୍କ ନାମ ନ ଥିବାରୁ ତାଙ୍କ ପ୍ରାର୍ଥିପତ୍ର ନାକଚ୍‌ ହୋଇଯାଇଥିବା ଅନ୍ୟ ପ୍ରାର୍ଥୀମାନେ ଭାବି ନେଇଥିଲେ। ହେଲେ ଅପରାହ୍ନ ୧ଟାରୁ ୨ଟା ମଧ୍ୟରେ ନିର୍ବାଚନ ଅଧିକାରୀ ଦ୍ୱିତୀୟ ନୋଟିସ ଲଗାଇଥିଲେ, ଯେଉଁଥିରେ ରଞ୍ଜିତ କୁମାର ବିଶ୍ୱାଳଙ୍କ ନାମ ସହ ସମସ୍ତ ୮ ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ଜଣାପଡ଼ିଥିଲା। ଏପରି କି ଦ୍ୱିତୀୟ ନୋଟିସରେ ରଞ୍ଜିତଙ୍କ ପୋଷ୍ଟ ଅଫିସ ଠିକଣା ବଡ଼ସଡା ପରିବର୍ତ୍ତେ ଖମାର ବୋଲି ଲେଖାଯାଇଛି। ତେଣୁ ଯାଞ୍ଚ ପ୍ରକ୍ରିୟାରେ ଚଞ୍ଚକତା କରାଯାଇଥିବା ଅନ୍ୟ ୭ ଜଣ ପ୍ରାର୍ଥୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ନିର୍ବାଚନ ଅଧିକାରୀ ତଥା ବିଡିଓ ଦୀଲିପ କୁମାର ବର କହିଛନ୍ତି, ପ୍ରଥମ ନୋଟିସରେ ତ୍ରୁଟି ରହିଯାଇଥିବାରୁ ଦ୍ୱିତୀୟ ନୋଟିସରେ ସମସ୍ତ ପ୍ରାର୍ଥୀଙ୍କ ନାମ ଉଲ୍ଲେଖ କରାଯାଇଛି।

Share