ରାଜଧାନୀରେ ଗଣବଳାତ୍କାର ଅଭିଯୋଗ: ଘରେ ଛାଡିଦେବେ କହି ଅପହରଣ କରିନେଇ…

ଭୁବନେଶ୍ୱର, ୨୧ା୩(ବ୍ୟୁରୋ): ରାଜଧାନୀରେ ଜଣେ ମହିଳା ଗଣବଳାତ୍କାରର ଶିକାର ହୋଇଛନ୍ତି। ଗତ ଫେବୃୟାରୀ ମାସରେ ଏହି ଘଟଣା ଘଟିଥିଲେ ମଧ୍ୟ ପୀଡିତା ଜଣକ ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେବାପରେ ଘଟଣା ପଦାକୁ ଆସିଛି। ପୋଲିସ ଅଭିଯୋଗ ରଖୁ ନ ଥିବା ପୀଡିତା ଜଣକ ଜଣାଇବା ସହ ନ୍ୟାୟ ନିବେଦନ କରିଛନ୍ତି। କମିଶନରଙ୍କ ନିର୍ଦ୍ଦେଶ ପରେ ଲକ୍ଷ୍ମୀସାଗର ଥାନା ପୋଲିସ ୧୦୦/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶନିବାର ପୋଲିସ ଥାନାରେ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଛି।

ପୀଡିତା ଜଣକ ଗତ ଫେବୃୟାରୀ ୨୬ରେ ବାପଘର ବୁଦ୍ଧେଶ୍ୱରୀ କଲୋନୀରୁ ଶାଶୁଘର ହଳଦୀପଡିଆ ବସ୍ତି ଅଞ୍ଚଳକୁ ରାତି ପ୍ରାୟ ୧୦ଟାରେ ଚାଲି ଚାଲି ଫେରୁଥିଲେ। ବାଟରେ ୪ଜଣ ବ୍ୟକ୍ତି ତାଙ୍କୁ ଘରେ ଛାଡିଦେବେ କହି ଅପହରଣ କରିନେଇ ବିଭିନ୍ନ ସ୍ଥାନରେ ବଳାତ୍କାର କରିଥିଲେ। ସେହି ରାତିରେ ପୀଡିତା ଜଣକ ଥାନାରେ ଅଭିଯୋଗ କରିଥିଲେ। ବିଳମ୍ବିତ ରାତି ହୋଇଯାଇଥିବାରୁ ଓ ଅଭିଯୁକ୍ତମାନେ ପୁଣି କିଛି ଘଟାଇବାର ଆଶଙ୍କା କରି ସେ ଥାନା ନିକଟ ଏକ ମନ୍ଦିରରେ ରାତ୍ରିଯାପନ କରିଥିଲେ। ପାହାନ୍ତାରୁ ନିଜ ଘରକୁ ଯାଉଥିବାବେଳେ ପୁଣି ୩ଜଣ ବ୍ୟକ୍ତି ପୁନର୍ବାର ତାଙ୍କୁ ବଳାତ୍କାର କରିଥିଲେ। ଏନେଇ ଲକ୍ଷ୍ମୀସାଗର ଥାନାରେ ପୁନର୍ବାର ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ପୀଡିତାଙ୍କ ଅଭିଯୋଗକୁ ପୋଲିସ ଗ୍ରହଣ କରି ନ ଥିଲା। ଏପଟେ ଅଭିଯୁକ୍ତମାନେ ନାନା ଭାବେ ତାଙ୍କୁ ଧମକ ବି ଦେଇ ଆସୁଥିଲେ। ଶେଷରେ ଗତ ୪ଦିନ ତଳେ ପୀଡିତା ଜଣକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏନେଇ ଅଭିଯୋଗ କରିଥିଲେ। ପୀଡିତା ଜଣକ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିଲେ।

ଥାନା ଅଧିକାରୀ ଭରତ ଚରଣ ସାହୁ କହିଛନ୍ତି, ପୀଡିତା ଜଣକ ଗତ ଫେବୃୟାରୀ ମାସରେ ଅଭିଯୋଗ କରିବାକୁ ଥାନାକୁ ଆସି ନ ଥିଲେ। ୪ଦିନ ତଳେ ସେ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ସନ୍ତୋଷଜନକ ଉତ୍ତର ଦେଇପାରୁ ନ ଥିବାରୁ ସତ୍ୟତା ଉନ୍ମୋଚନ ଓ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଚେଷ୍ଟା ଚାଲିଛି। ପୂର୍ବ ଶତ୍ରୁତାରୁ ଏଭଳି ଅଭିଯୋଗ ହୋଇଥିବା ଜଣାପଡୁଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ଦେଖିଲେ ଚିହ୍ନି ପାରିବେ ବୋଲି ପୀଡିତା କହିଛନ୍ତି।

Share