ଲିଙ୍ଗ ନିରୂପଣ ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

କଟକ,୯ା୨(ଶିଳ୍ପା ପ୍ରିୟଦର୍ଶିନୀ): ବେଆଇନ ଲିଙ୍ଗ ନିରପୂଣ ଅଭିଯୋଗରେ କଟକର ଫ୍ରେଣ୍ଡ୍‌ସ କଲୋନୀସ୍ଥିତ ଡାକ୍ତର ପୁଣ୍ୟଶ୍ଳୋକ ଦାସଙ୍କ ଘରେ ଶୁକ୍ରବାର ଚଢ଼ାଉ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଉକ୍ତ ଚଢ଼ାଉରେ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ପ୍ରଶାନ୍ତ ସାମଲ, ସଦର ଉପଜିଲାପାଳ କମଳଜିତ ଦାସ ଓ ଏସିପି ଜୋନ୍‌-୫ କୃଷ୍ଣଚନ୍ଦ୍ର ସେଠୀଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇଛି। ଅଲଟ୍ରାସାଉଣ୍ଡ ମେଶିନ, ଟଙ୍କା ଭର୍ତ୍ତି ବ୍ୟାଗ ଜବତ କରାଯାଇଥିବା ବେଳେ ୩ ଦଲାଲ ଅଟକ ରହିଥିବା ସୂଚନା। ପୂର୍ବରୁ ଦୁଇଥର ଲିଙ୍ଗ ନିରୂପଣ କରିଥିବାବେଳେ ଧରା ପଡ଼ି ନିଲମ୍ବିତ ହୋଇଥିଲେ। ହେଲେ ଶୁକ୍ରବାର ପୁଣି ତାଙ୍କ ଘରେ ଲିଙ୍ଗ ନିରୂପଣ କରୁଥିବା ବେଳେ ମେଶିନ ସହ ଜଣେ ଗର୍ଭବତୀ ମହିଳା, ଅନ୍ୟ ଦୁଇ ମହିଳାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏହା ସହ ଜେଲି,ଗର୍ଭପାତ ବଟିକା,ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ସ୍ବାସ୍ଥ୍ୟ ବିଭାଗ। ତେବେ ଏହାକୁ ଅସ୍ବୀକାର କରିଛନ୍ତି ଡାକ୍ତର ପୁଣ୍ୟଶ୍ଳୋକ। ତେବେ ଏ ଘଟଣାରେ ଥାନାରେ ଏତଲା କରାଯିବ ଏବଂ ସମସ୍ତ ଘଟଣା ଉପରେ ତଦନ୍ତ କରାଯାଇ ରିପୋର୍ଟ ଦାଖଲ କରାଯିବ ବୋଲି ପରିବାର କଲ୍ୟାଣ ବିଭାଗ ସ୍ବାସ୍ଥ୍ୟ ଅଧିକାରୀ ପ୍ରଶାନ୍ତ ସାମଲ କହିଛନ୍ତି।

Share