ସରକାରୀ ଅର୍ଥ ହରିଲୁଟ୍‌ ଅଭିଯୋଗ: ତଦନ୍ତ ଦାବିରେ ଆମରଣ ଅନଶନ

ବରୀ,୨୫ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ଇଶାଣପୁର ପଞ୍ଚାୟତରେ ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମନରେଗା ଯୋଜନା, ଚତୁର୍ଦ୍ଦଶ ଓ ଚତୁର୍ଥ ଅର୍ଥ କମିଶନ ଅନୁଦାନରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତକୁ ଆସିଥିବା ସରକାରୀ ଅନୁଦାନକୁ ସରପଞ୍ଚ, କାଯର୍ର୍‌ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଓ ବ୍ଲକସ୍ତରୀୟ ପ୍ରଶାସନକୁ ପ୍ରଭାବିତ କରି ବେଆଇନ କାର୍ଯ୍ୟ କରିବା ସହିତ ବ୍ୟାପକ ଅର୍ଥ ହରିଲୁଟ୍‌ କରିବାର ଅଭିଯୋଗ ସ୍ଥାନୀୟ ଲୋକେ ଯାଜପୁର ଜିଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ବରୀ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳି ନ ଥିଲା। ଏହି ପଞ୍ଚାୟତକୁ ସରକାରୀ ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ଆସିଥିବା ଅନୁଦାନ ହଡ଼ପ ହେବା, ଏ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀମାନେ ଗୁରୁତ୍ୱ ନ ଦେବା ଘଟଣାକୁ ବିରୋଧ କରି ସୋମବାର ଇଶାଣପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ମନୋଜ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ଆମରଣ ଅନଶନ କରିଥିବାର ଦେଖିବାକୁ ମିଳିଛି। ଘଟଣାକୁ ଗୁରୁତ୍ୱ ଦେଇ ବରୀ ତହସିଲଦାର ମାନସ ରଞ୍ଜନ ଭୋଇ, ଥାନାଧିକାରୀ ଅଜୟ କୁମାର ଜେନା ଓ ବ୍ଲକ ସ୍ତରୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନଶନରତ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ବି ସେମାନେ ତଦନ୍ତ କରାଯିବାକୁ ପ୍ରଶାସନ ପକ୍ଷରୁ ଲିଖିତ ଭାବେ ପ୍ରତିଶ୍ରୁତି ଦିଆ ନ ଯିବା ପର୍ଯ୍ୟନ୍ତ ଅନଶନରୁ ଓହରିବୁ ନାହିଁ ବୋଲି ପ୍ରକାଶ କରିଛନ୍ତି।