ଚୌଦ୍ୱାର,୧୮।୫(ଡି.ଏନ.ଏ.)- ଚୌଦ୍ୱାର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଟିକାକରଣରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ୩ଜଣ କର୍ମଚାରୀ ଟିକା ନେଇ ଚୌଦ୍ୱାର ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ପୂର୍ବାହ୍ନ ୯ଟାରେ ପହଞ୍ଚିଥିଲେ। ହେଲେ ପୂର୍ବରୁ ଅନ୍ଲାଇନ ଏବଂ ମେଡ଼ିକାଲରେ ରାତି ୪ଟା୩୦ରୁ ଲାଇନ୍ ଲଗାଇ ନାମ ପଞ୍ଜୀକରଣ କରିଥିଲେ ସୁଦ୍ଧା ବହୁଲୋକ ଟିକା ନ ପାଇ ନିରାଶ ହୋଇ ଫେରିଥିଲେ। ଅନ୍ୟପଟେ ଟିକା ଦେଉଥିବା କର୍ମଚାରୀମାନେ ନିଜ ପରିଚିତ ଲୋକଙ୍କୁ କିଛି ଟିକା ପ୍ରଦାନ କରିଥିବା ପ୍ରତାପ ଚନ୍ଦ୍ର ମିଶ୍ର, ହିମାଂଶୁ କୁମାର ହାତୀ, ମୁରଲୀଧର ମିଶ୍ର, ସୋନି ହାତୀ ଓ ଭାଜପା ଚୌଦ୍ୱାର ମଣ୍ଡଳ ସଭାପତି କୈଳାଷ ଚନ୍ଦ୍ର ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ସୋମବାର ୧୦୦ ଡୋଜ୍ ଟିକା ଆସିଥିଲା। ସେଥିମଧ୍ୟରୁ ୯୬ଜଣକୁ ଟିକା ଦିଆଯାଇଥିବାବେଳେ ଅବଶିଷ୍ଟ ଟିକା କୁଆଡେ ଗଲା ବୋଲି ସେମାନେ କହିଛନ୍ତି। ଏପରି ଅବ୍ୟବସ୍ଥାକୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏଥିସହିତ ଟିକାକରଣ ପାଇଁ ପୂର୍ବରୁ ସୂଚନା ଦେବା, ଦିନ ଭିତରେ କେତେଜଣଙ୍କୁ ଟିକା ପ୍ରଦାନ କରାଯାଇପାରିବ ସେ ସମ୍ପର୍କରେ ଜଣାଇବା ପାଇଁ ସେମାନେ ନିବେଦନ କରିଛନ୍ତି।