ସରକାରୀ ଅର୍ଥ ହଡ଼ପ ଅଭିଯୋଗ

ଲାଞ୍ଜିଗଡ଼,୨୨ା୬(ରମେଶ ଚନ୍ଦ୍ର ନାୟକ)କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତ ଫୁଲଡୁମେର ଗାଁରେ ଛେଳି ଗୃହ ନିର୍ମାଣ ଆରମ୍ଭ ହୋଇ ଏକ ବର୍ଷ ବିତିଛି। କିନ୍ତୁ ଏ ଯାଏଁ ସମ୍ପୂର୍ଣ୍ଣ ନ ହୋଇ ଅଧାପନ୍ତରିଆରେ ପଡ଼ି ରହିଛି। ବ୍ଲକ ପ୍ରଶାସନର ପୋଷ୍ୟ ଗାଁ ବୋଲି ଜିଲାରେ ଚର୍ଚ୍ଚା ହେଉଥିବା ଫୁଲଡୁମେର ଗାଁରେ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ଆସିଛି। ଗ୍ରାମବାସୀଙ୍କ ସୂଚନା ଅନୁସାରେ ଛେଳି ପାଳନ ପାଇଁ ୨୦୨୨ ମେ’ ୨୯ ତାରିଖରେ ଛେଳି ଗୃହ ଆରମ୍ଭ ହୋଇଥିଲା। ଏହି ଗାଁରେ ୨୧ ଆଦିମ ଜନଜାତି ବା ଆଦିବାସୀ ସମ୍ପ୍ରଦାୟ ପରିବାର ଦୀର୍ଘ ବର୍ଷ ଧରି ବାସ କରିଆସୁଛନ୍ତି। ସେମାନଙ୍କ ସ୍ବାବଲମ୍ବୀ ନିମନ୍ତେ ୧୭ ପରିବାରକୁ ଛେଳି ପାଳନ ପାଇଁ ଛେଳି ଗୃହ ନିର୍ମାଣ ପାଇଁ ୭୭୧୧୭୧ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ଏବେ ଯାଏଁ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ସ୍ବଚ୍ଛ ଭାରତ ମିଶନ ଜରିଆରେ ଶୌଚାଳୟ କରାଯାଇଥିଲା, ସେହି ଶୌଚାଳୟଠାରେ ମଣିଷ ବ୍ୟବହାର କରିବା ବଦଳରେ ସେଠାରେ ଛେଳି ପାଳନ କରୁଛନ୍ତି। ବ୍ଲକ ପ୍ରଶାସନ ମାସକୁ ଥରେରୁ ଦୁଇଥର ଫୁଲଡୁମେର ଗାଁ ଗସ୍ତ କରି ସମସ୍ୟା ତଦାରଖ କରନ୍ତି। ହେଲେ ଏବେ ଯାଏଁ ଛେଳି ଗୃହ ଅଧାପନ୍ତରିଆ ହୋଇପଡ଼ି ରହିଛି। ଏହି ଗାଁକୁ ଜିଲାପାଳ ମଧ୍ୟ ଗତ ମାସରେ ଗସ୍ତ କରି ସମସ୍ୟା ଉପରେ ତଦାରଖ କରିଥିଲେ। ବିଡିଓ ଓ ଜିଲାପାଳଙ୍କ ଗସ୍ତ ପରେ ଗାଁର ସମସ୍ୟା ଦୂର ହେବ ବୋଲି ଗ୍ରାମବାସୀଙ୍କ ଆଶା ଥିଲା। ହେଲେ ଜିଲାପାଳଙ୍କ ଗସ୍ତର ମାସେରୁ ଊର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇ ପାରିନାହିଁ। ଫଳରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଛେଳି ଗୃହ କାମ କରିଥିବା ପାରିଶ୍ରମିକ ଅର୍ଥ ମଧ୍ୟ ପାଇ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଫୋନ ମାଧ୍ୟ୍ୟମରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ସେ ଫୋନ ରିସିଭ କଲେନାହିଁ। ଛେଳି ଗୃହ କାର୍ଯ୍ୟ କରିଥିବା ଶ୍ରମିକଙ୍କୁ ତୁରନ୍ତ ଅର୍ଥ ରାଶି ପ୍ରଦାନ କରି ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ବ୍ଲକ ଓ ଜିଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।