ଭୁବନେଶ୍ୱର,୭।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ବିଜେଡି ଓ ଭାଜପା ପରସ୍ପର ବିରୋଧରେ ନିର୍ବାଚନ ଆଚରଣବିଧି ଭାଙ୍ଗିବା ନେଇ ଅଭିଯୋଗ କରୁଛନ୍ତି। ଭାଜପା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବା ନେଇ ବିଜେଡିର ଏକ ପ୍ରତିନିଧି ଦଳ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଅଭିଯୋଗ କରିଛି। ବିଜେଡିର ଅଭିଯୋଗ ଅନୁସାରେ ରାତିଅଧରେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନିର୍ବାଚନ ପ୍ରଚାର କରୁଛନ୍ତି। ସେ ମେ’ ୫ ତାରିଖରେ ଲଳିତ ହେରିଟେଜ, ମୁନ୍ଦ୍ରା ଫେଶନ, ସାମ୍ସଙ୍ଗ ଛକଠାରେ ରାତି ୧ଟାରୁ ୨ଟା ଯାଏ ପ୍ରଚାର କରିିଛନ୍ତି। ନିର୍ବାଚନ ଆଚରଣବିଧି ଅନୁସାରେ ରାତି ୧୦ଟା ପରେ ପ୍ରଚାର ଉପରେ କଟକଣା ରହିଛି। ଏହାସତ୍ତ୍ୱେ ଟଙ୍କଧର ରାତି ୧ଟାରୁ ୨ଟା ମଧ୍ୟରେ ଲଳିତ ହେରିଟେଜ ନିକଟ ସାମ୍ସଙ୍ଗ ଛକରେ ସହଯୋଗୀଙ୍କ ସହିତ ପ୍ରଚାର କରିଥିଲେ। ଏହି ସମୟରେ ମାଇକ୍ରୋଫୋନ୍ ମଧ୍ୟ ବ୍ୟବହାର କରିଥିଲେ, ଯାହାର ଭିଡିଓ ଫୁଟେଜକୁ ବିଜେଡି ସିଇଓଙ୍କ ନିକଟରେ ଦାଖଲ କରିଛି।
ପଦ୍ମପୁର ଭଳି ଏଠାରେ ଶୋଚନୀୟ ପରାଜୟ ହେବା ଜାଣିବା ପରେ ଭାଜପା ଆଚରଣବିଧି ଭାଙ୍ଗିବା ଏକ ଅଭ୍ୟାସରେ ପରିଣତ କରିଛି ବୋଲି ବିଜେଡି ଅଭିଯୋଗ କରିଛି। ଟଙ୍କଧରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ସିଇଓଙ୍କ ନିକଟରେ ଦାବି କରିଛି।