ନିରାମୟ ଯୋଜନାରେ ଔଷଧ ମିଳୁ ନ ଥିବା ଅଭିଯୋଗ

କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଧରଣୀଧର ମେଡିକାଲ କଲେଜ ଡାକ୍ତରଖାନାରେ ରୋଗୀଙ୍କୁ ମାଗଣା ମେଡିସିନ ମିଳୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଫଳରେ ଏଠାରେ ସରକାରଙ୍କ ନିରାମୟ ଯୋଜନା ବିଫଳ ହୋଇଥିବା ଅଭିଯୋଗ ହେଉଛି।
ମେଡିକାଲ କଲେଜ ଖୋଲିଲେ ଉତ୍ତମ ଚିକିତ୍ସା ମିଳିବ ଏବଂ ମାଗଣାରେ ସବୁ ପ୍ରକାରର ଚିକିତ୍ସା ସେବା ମିଳିବ ଏହି ଆଶା ରଖିଥିବା କେନ୍ଦୁଝରବାସୀ ଏଭଳି ବାହାରୁ ମେଡିସିନ କିଣି ଖର୍ଚ୍ଚାନ୍ତ ହେଉଥିବା ବେଳେ ଅନେକ ମେଡିସିନ କିଣି ନ ପାରି ଚିକିତ୍ସା ହୋଇ ନ ପାରି ଘରେ ମୃତ୍ୟୁ ଅପେକ୍ଷାରେ ପଡ଼ିରହୁଛନ୍ତି। ବିଶେଷକରି ଡିଏମ୍‌ଏଫ୍‌ ଅନୁଦାନରେ ଆସୁଥିବା କେତେକ ସୁପରସ୍ପେଶାଲିଷ୍ଟ ଡାକ୍ତରମାନେ ଏଭଳି ମେଡିକାଲ ବାହାରୁ ମେଡିସିନ ଲେଖୁଥିବା ଅଭିଯୋଗ ହେଉଛି। ଉପଯୁକ୍ତ ତଦାରଖ ଅଭାବରୁ ସ୍ବାସ୍ଥ୍ୟ ବିଭାଗ ଜାଣି ପାରୁନାହିଁ। ଫଳରେ ରୋଗୀ ଶୋଷିତ ହେଉଛନ୍ତି ବୋଲି ସାମାଜିକ କର୍ମୀମାନେ ମତବ୍ୟକ୍ତ କରିଛନ୍ତି। ବାହାର ମେଡିସିନ ଲେଖିବା ନେଇ ସେମାନଙ୍କୁ ତାଗିଦ କରାଯାଇଥିବା ଏବଂ ନିଯୁକ୍ତି ସର୍ତ୍ତ ରଖାଯାଇଥିବାରୁ ସେସବୁ ଖିଲାପ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ହେଉଥିବା ତଦାରଖ ଧର୍ମକୁ ଆଖିଠାର ବୋଲି ମତପ୍ରକାଶ ପାଇଛି।