ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ; ରାସ୍ତାରୋକୋ, ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା

ବାଲିଆପାଳ ୨୨।୨(ସ୍ବ.ପ୍ର,): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ପ୍ରତାପପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର ଚିକିତ୍ସାଧୀନ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେଉଛି। ଏ ନେଇ ସୋମବାର ଉତ୍ତ୍ୟକ୍ତ ଲୋକେ ଉଗ୍ର ରୂପ ଧାରଣକରି ସାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳା ଦର୍ଶାଇ ସ୍ଥାନୀୟ ଜନସାଧାରଣ ରାସ୍ତାରୋକୋ କରିବା ସହ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ । ଫଳରେ ରୋଗୀ ସେବା ଏବଂ କୋଭିଡ୍‌ ଟିକାକରଣରେ ବାଧାପ୍ରାପ୍ତ ହୋଇଥିଲା।
ପ୍ରକାଶ ଯେ, ବାଲିଆପାଳ ଥାନା ପ୍ରତାପପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ଗୁରୁବାର ପ୍ରତାପପୁର ଗ୍ରାମର ଯଦୁନାଥ ବେହେରାଙ୍କ ପୁଅ ପ୍ରସନ୍ନ ବେହେରା (୩୫) କୌଣସି କାରଣରୁ ବିଷ ପିଇଦେଇଥିଲେ। ପରିବାର ଲୋକେ ତୁରନ୍ତ ପ୍ରସନ୍ନଙ୍କୁ ପ୍ରତାପପୁର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ପ୍ରସନ୍ନଙ୍କର କୌଣସି ଚିକିତ୍ସା କରା ନଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରସନ୍ନଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ରବିବାର ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଗ୍ରାମବାସୀ ଏକତ୍ରିତ ହୋଇ ଚିକିତ୍ସା ଅବହେଳାରୁ ପ୍ରସନ୍ନଙ୍କର ମୃତ୍ୟୁ ଘଟିଥିବା କହି ମେଡିକାଲରେ ତାଲା ପକାଇବା ସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ତେବେ ଦୀର୍ଘ ସମୟ ବ୍ୟବଧାନ ପରେ ବାଲିଆପାଳ ଆଇଆଇସି ବିମଳ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।