ଭିମ୍‌ସାରରୁ ଆସିଲା ପୁଣି ରାଗିଙ୍ଗ ଅଭିଯୋଗ

ସମ୍ବଲପୁର,୧୨ା୩(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରରେ ପୁଣି ରାଗିଙ୍ଗ ଓ ମାର୍‌ପିଟ କରାଯାଇଥିବା ନେଇ କିଛି ଛାତ୍ର ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଶୁକ୍ରବାର ଆଣ୍ଟି ରାଗିଙ୍ଗ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ସମ୍ପର୍କରେ ଡିନ୍‌ ଡ. ଜୟଶ୍ରୀ ଡୋରା କହିଛନ୍ତି, ରାଗିଙ୍ଗ ନା ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ ହୋଇଛି ତାହା ତଦନ୍ତରୁ ଜଣାପଡିବ।
ମିଳିଥିବା ସୂଚନା ଅନୁଯାୟୀ, ଭିମ୍‌ସାରରେ ଦ୍ୱିତୀୟ ବର୍ଷର କିଛି ଛାତ୍ରଙ୍କୁ ଚତୁର୍ଥବର୍ଷ ଛାତ୍ରମାନେ ମାର୍ଚ୍ଚ ୧୦ ତାରିଖରେ ବାସ୍କେଟବଲ ପଡିଆକୁ ଡାକିଥିଲେ। ହେଲେ ଦ୍ୱିତୀୟ ବର୍ଷର ଛାତ୍ରମାନେ ଆସି ନ ଥିଲେ। ଏହାକୁ କେନ୍ଦ୍ର କରି ରାତିରେ ଦ୍ୱିତୀୟ ବର୍ଷ ଛାତ୍ର ରହୁଥିବା ହଷ୍ଟେଲକୁ ସେମାନେ ଯାଇ ରାଗିଙ୍ଗ କରିଥିଲେ। ଏପରି କି ମାରପିଟ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଦ୍ୱିତୀୟବର୍ଷ ଛାତ୍ରମାନେ ଦିଲ୍ଲୀସ୍ଥିତ ଆଣ୍ଟି ରାଗିଙ୍ଗ ସେଲ୍‌ରେ ଅଭିଯୋଗ କରିଛନ୍ତି। ପୂର୍ବରୁ ୨୦୧୯ ସେପ୍ଟେମ୍ବର ୫ରେ ଭିମ୍‌ସାରରେ ରାଗିଙ୍ଗ ନେଇ ଅଭିଯୋଗ ହୋଇଥିଲା। ଜଣେ ଦ୍ୱିତୀୟବର୍ଷ ଏମ୍‌ବିବିଏସ୍‌ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ମାରପିଟ କରିବା ସହ ରାଗିଙ୍ଗ କରିଥିଲେ। ସେହିପରି ୨୦୧୮ ଅକ୍ଟୋବର ୯ରେ ଏମ୍‌ବିବିଏସ୍‌ ଜୁନିୟର ଛାତ୍ରଙ୍କୁ ରାଗିଙ୍ଗ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ଭିମସାର କର୍ତ୍ତୃପକ୍ଷ ୨୩ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

Share