ଏସ୍‌ଆଇଙ୍କ ବିରୋଧରେ ମହିଳାଙ୍କ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର,୨୫।୮(ବ୍ୟୁରୋ): କନ୍ଧମାଳ ଜିଲାରେ କାର୍ଯ୍ୟରତ ଜଣେ ମହିଳା ଏସ୍‌ଆଇ ବଳାତ୍କାରର ଶିକାର ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ନ୍ୟାୟ ନ ମିଳିବାରୁ ପୀଡିତା ଜଣକ ସୋମବାର ଭୁବନେଶ୍ୱର ଆସି ପୋଲିସ ଡିଜିଙ୍କୁ ନ୍ୟାୟ ମାଗିଛନ୍ତି। ତେବେ ଡିଜିପିଙ୍କ ସହ ତାଙ୍କର ଭେଟ ହୋଇ ନ ଥିଲେ ମଧ୍ୟ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯାଇଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ଗିରଫ ସହ ତାଙ୍କୁ ଚାକିରିରୁ ବହିଷ୍କାର କରିବାକୁ ପୀଡିତା ନିବେଦନ କରିଛନ୍ତି। ପୀଡିତା ମହିଳା ଏସ୍‌ଆଇଙ୍କ ଅଭିଯୋଗ ଅନୁଯାୟୀ, ୨୦୧୭ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଟ୍ରେନିଂ ଏକାଡେମୀରେ ଉଭୟ ଟ୍ରେନିଂ ନେଉଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କୁ ଭଲ ପାଉଥିବା କହିଥିଲେ। ଟ୍ରେନିଂ ସରିବା ପରେ ସମ୍ବଲପୁରର ଏକ ଥାନାରେ ତାଙ୍କର ପୋଷ୍ଟିଂ ହୋଇଥିଲା। ଅଭିଯୁକ୍ତ ଏସ୍‌ଆଇ ସେଠାକୁ ଯାଇ ବିବାହର ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କୁ ପ୍ରଥମେ ବଳାତ୍କାର କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ବଳାତ୍କାର କରିଥିଲେ ସୁଦ୍ଧା ବିବାହ କରିବାକୁ ରାଜି ନ ହୋଇନଥିଲେ। ଏନେଇ ପୀଡ଼ିତା ମହିଳା ଏସ୍‌ଆଇ ଜଣକ ନ୍ୟାୟ ପାଇଁ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗର ୧୦ଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ସେ ଡିଜିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Share