ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ତଦନ୍ତ ପରେ ଅଙ୍ଗନୱାଡ଼ି ସହାୟିକାଙ୍କୁ ବହିଷ୍କାର

ରୂପସା,୧୦।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଲଛମନଖୁଣ୍ଟା-୧ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକା ବୀଣାପାଣି ପ୍ରଧାନଙ୍କୁ ଉପଜିଲାପାଳଙ୍କ ପତ୍ର ସଂଖ୍ୟା ୧/ଏସ୍‌ଏସ୍‌ଡବ୍ଲ୍ୟୁ/୩.୧.୨୩ ଅନୁଯାୟୀ କାର୍ଯ୍ୟରୁ ବହିଷ୍କାର (ଅନ୍ତର) କରାଯାଇଛି। ଏ ସମ୍ପର୍କରେ ବସ୍ତା ସିଡିପିଓଙ୍କ କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୩/୭.୧.୨୩ ଦ୍ୱାରା ଉକ୍ତ ସହାୟିକାଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାର ଏକକିତା ନକଲ ସମାଜ ମଙ୍ଗଳ ଅଧିକାରିଣୀ, ମହିଳା ପରିଦର୍ଶିକା ଓ ଅଙ୍ଗନୱାଡ଼ି କର୍ମୀଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରାଯାଇଛି। ଏହି ସହାୟିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଅଭିଭାବକ ଓ ଗ୍ରାମବାସୀ ଗତ ଡିସେମ୍ବର ୧୬ ତାରିଖରେ କେନ୍ଦ୍ରରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଏ ସମ୍ପର୍କରେ ଅନ୍ୟ ଆବେଦନକାରୀ ପ୍ରାର୍ଥତ୍ନୀଙ୍କ ସମେତ ଅଭିଭାବକ ଓ ଗ୍ରାମବାସୀ ଜିଲାପାଳ, ଉପଜିଲାପାଳ ଓ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ ନିଯୁକ୍ତି ଘଟଣାର ତଦନ୍ତ ପରେ ଉକ୍ତ ସହାୟିକାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି।
୪ ବର୍ଷ ଧରି ପାଚିକା ପଦବୀ ଖାଲି ପଡ଼ିଥିଲା। ୨୦୨୦ ଡିସେମ୍ବରରେ ପାଚିକା ନିଯୁକ୍ତି ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ପାଚିକା ପାଇଁ ଗୀତା ସିଂ, ରେଖା ସିଂ ଓ ବୀଣାପାଣି ପ୍ରଧାନ ଆବେଦନ କରିଥିଲେ। ଗତ ନଭେମ୍ବର ୧୯ ତାରିଖରେ ଏହି କେନ୍ଦ୍ରରେ ପାଚିକା ଚୟନ ନିମନ୍ତେ ବିଭାଗ ପକ୍ଷରୁ ବୈଠକ ହୋଇଥିଲା। ବିଭାଗୀୟ ଅଧିକାରୀ ଉପସ୍ଥିତ ନ ଥିବା ଦର୍ଶାଇ ପରବର୍ତ୍ତୀ ପର୍ଯ୍ୟାୟରେ ଚୟନ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ବ୍ୟାପକ ଅର୍ଥ କାରବାର ହୋଇ ଗତ ଡିସେମ୍ବର ୧୫ ତାରିଖରେ ବସ୍ତା ବ୍ଲକ କାର୍ଯ୍ୟାଳୟରେ ଆବେଦନକାରୀଙ୍କୁ ଡକାଯାଇ ବିଭାଗ ପକ୍ଷରୁ ଅକସ୍ମାତ ପରୀକ୍ଷା କରାଯାଇ ବୀଣାପାଣି ପ୍ରଧାନଙ୍କୁ ସହାୟିକା ଭାବେ ଚୟନ କରାଯିବାକୁ ବିରୋଧ ହୋଇଥିଲା।

Share