୫୦ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଅଭିଯୋଗ

ଭୁବନେଶ୍ୱର,୩ା୯(ବ୍ୟୁରୋ):ଜନ୍ମପୂର୍ବରୁ ମା’ର ଗର୍ଭ ନଷ୍ଟ କରିବାକୁ ଚାହୁଁଥିଲେ ବାପା। ହେଲେ ଜନ୍ମ ପରେ ଶିଶୁପୁତ୍ରଙ୍କୁ ଅନ୍ୟଜଣଙ୍କୁ ୫୦ହଜାର ଟଙ୍କାରେ ବିକ୍ରି କରିଦେଲେ। ଗତ କିଛିମାସ ତଳେ ରାଜଧାନୀରେ ଏହି ସ୍ପର୍ଶକାତର ଘଟଣା ଘଟିଥିଲା। ପୋଲିସଠାରୁ ନ୍ୟାୟ ନ ପାଇ ଶିଶୁପୁତ୍ରର ମା’ ଏବେ ଜାତୀୟ ମାନବିକ ଅଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହେବା ପରେ ଘଟଣା ପଦାକୁ ଆସିଛି।
ଅଭିଯୋଗ ମୁତାବକ, ନୟାଗଡ଼ ଜିଲା ରଣପୁର ଅଞ୍ଚଳର ଜଣେ ଯୁବତୀଙ୍କ ସହ ନୟାଗଡ଼ର ତପନ ପଲାଇଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୮ରେ ଉଭୟ ବାଙ୍ଗାଲୋରରେ ଏକାଠି ରହିବା ସହ ସେଠାକାର ଏକ ସାଇ ମନ୍ଦିରରେ ବିବାହ କରି ସ୍ବାମୀସ୍ତ୍ରୀ ହୋଇ ଚଳୁଥିଲେ। ଗତବର୍ଷ ସେମାନେ ବାଙ୍ଗାଲୋରରୁ ଓଡ଼ିଶା ଚାଲି ଆସିଥିଲେ। ମହିଳାଜଣଙ୍କୁ ଖଣ୍ଡଗିରିରେ ରହୁଥିବା ବାପାଙ୍କ ପାଖରେ ଛାଡ଼ି ତପନ ଗାଁକୁ ପଳାଇଥିଲେ। ମଝିରେ ମଝିରେ ଖଣ୍ଡଗିରିସ୍ଥିତ ଶ୍ୱଶୁର ଘରକୁ ଆସି ରହୁଥିଲେ। ଏହା ଭିତରେ ମହିଳା ଜଣକ ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ତପନ ଗର୍ଭନଷ୍ଟ କରିବା ପାଇଁ ସ୍ତ୍ରୀଙ୍କୁ ଔଷଧ ଦେଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଇତିମଧ୍ୟରେ ସେମାନେ ସାଲିଆସାହିରେ ଘରଭଡ଼ା ନେଇ ରହିଥିଲେ। ଗତ ମାର୍ଚ୍ଚ ୨୬ରେ ଜୟଦେବ ବିହାରସ୍ଥିତ ଏକ ନର୍ସିଂହୋମ୍‌ରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାର କିଛିଦିନ ପରେ ଦିନେ ହଠାତ୍‌ ପୁଅକୁ ନ ପାଇ ମା’ ବ୍ୟତିବ୍ୟସ୍ତ ହୋଇପଡିଥିଲେ। ତପନଙ୍କୁ ପଚାରିବାରୁ ଡେଲିଭରି ସମୟରେ ବାକିଥିବା ହସ୍ପିଟାଲ ଖର୍ଚ୍ଚ ଦେବାକୁ ପୁଅକୁ ୫୦ହଜାର ଟଙ୍କାରେ ବିକ୍ରି କରିଦେଇଥିବା ତପନ ଜଣାଇଥିଲେ। ଏପିରି କି କାହାକୁ କହିଲେ ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ଦେଇ ଫେରାର ହୋଇଯାଇଥିଲେ। ଏହାପରେ ମହିଳା ଜଣକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରି ନିରାଶ ହେବାରୁ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରୁ କୌଣସି ସୁଫଳ ନ ମିଳିବାରୁ ଏନ୍‌ଏଚ୍‌ଆର୍‌ସିଙ୍କୁ ନ୍ୟାୟ ନିବେଦନ କରିଛନ୍ତି। ପୁଅକୁ ଉଦ୍ଧାର କରିବା ସହ ମାମଲା ରୁଜୁ କରି ନ ଥିବା ଥାନା ଅଧିକାରୀ ଓ ଅଭିଯୁକ୍ତ ତପନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି।

Share