ଝରିଗାଁ ବିଧାୟକଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

ନବରଙ୍ଗପୁର/ଉମରକୋଟ, ୪ା୫(ବି.ପ୍ର./ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝିଙ୍କ ନାମରେ ଜଣେ ଯୁବତୀ ଯୌନ ନିର୍ଯାତନା ଓ ହତ୍ୟା ଧମକ ଦେବା ଅଭିଯୋଗ ଆଣିଛନ୍ତି। ପୀଡ଼ିତା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ପୋଲିସ ଏତଲା ଗ୍ରହଣ କରୁ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛି କଂଗ୍ରେସ ଓ ଭାଜପା। ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି ମଙ୍ଗଳବାର ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଉଭୟ ଦଳର ନେତା ଓ କର୍ମୀମାନେ। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନ ଜୋର୍‌ଦାର ହେବ ବୋଲି ଉଭୟ ଭାଜପା ଓ କଂଗ୍ରେସ ପୃଥକ୍‌ ଖବରଦାତା ସମ୍ମିଳନୀ କରି ଚେତାବନୀ ଦେଇଛନ୍ତି। ବିଧାୟକ ୩ ବର୍ଷ ହେବ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। କିନ୍ତୁ ପୋଲିସ ବିଧାୟକଙ୍କ ନାମରେ ମାମଲା ରୁଜୁ କରୁ ନ ଥିବା ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଅଭିଯୋଗ କରିଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନଷ୍ଠାନ ଗ୍ରହଣ ସହ ବିଧାୟକ ପଦ ରଦ୍ଦ କରିବାକୁ କଂଗ୍ରେସ ଦାବି କରିଛି।
ସେହିଭଳି ନବରଙ୍ଗପୁର ଚାମୁରିଆଗୁଡ଼ାସ୍ଥିତ ଜିଲା ଭାଜପା କାର୍ଯ୍ୟାଳୟରେ ମଧ୍ୟ ଦଳୀୟ ନେତାମାନେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ପୋଲିସ କାହା ଇଙ୍ଗିତରେ ବିଧାୟକ ମାଝିଙ୍କୁ ସୁରକ୍ଷା ଦେଉଛି ବୋଲି ଭାଜପା ପ୍ରଶ୍ନ କରିଛି। ଭାଜପା ମଧ୍ୟ ପ୍ରକାଶ ମାଝିଙ୍କ ବିଧାୟକ ପଦ ରଦ୍ଦ କରିବାକୁ ଦାବି କରିଛି।
କଂଗ୍ରେସ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା କଂଗ୍ରେସ ଉପସଭାପତି ଦିଲୀପ ବେହେରା, ସମ୍ପାଦକ ପରି ସାହୁ ଉପସ୍ଥିତ ଥିଲେ। ଭାଜପାର ଖବରଦାତା ସମ୍ମିଳନୀରେ ଜିଲା ଭାଜପା ସଭାପତି ଜଗଦୀଶ ଚନ୍ଦ୍ର ମାଝି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଘଟଣା ସମ୍ପର୍କରେ ଜାଣିବାକୁ ବିଧାୟକଙ୍କୁ ଫୋନ୍‌ ଲଗାଇବାରୁ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ତେଣୁ ଘଟଣା ସମ୍ପର୍କରେ ତାଙ୍କ ମତାମତ ମିଳିପାରିନାହିଁ।

Share