ନୂତନ ସ୍ବାସ୍ଥ୍ୟକେନ୍ଦ୍ର କୋଠା କାମ ନିମ୍ନମାନର ଅଭିଯୋଗ

ଟିକିରି,୨୩ା୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଠାରେ ନୂତନ ସାସ୍ଥ୍ୟକେନ୍ଦ୍ର ନିମନ୍ତେ କୋଠା ନିର୍ମାଣ କାମ ଚାଲିଛି। ହେଲେ ଏହି କାମ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି। କୋଠାର ଫାଉଣ୍ଡେସନ ପଥର ବଦଳରେ ସିମେଣ୍ଟ ଇଟାରେ କରାଯାଇଛି। ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ଏହି କାମ ଚାଲିଛି। ଠିକାଦାର ଗୌରହରି ସାହୁ ଏହି କାମ କରୁଛନ୍ତି। ତେବେ କାମ ହେଉଥିବା ସ୍ଥାନରେ ଠିକାଦାରଙ୍କ ଦେଖା ମିଳୁ ନ ଥିବାବେଳେ ମିସ୍ତ୍ରୀଙ୍କ ଦ୍ୱାରା ଏହି କାମ ଚାଲିଥିବା ଦେଖିବାକୁ ମିଳିଛି।
ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ ନିମନ୍ତେ ରବିବାର ପିଡବ୍ଲ୍ୟୁଡି କନିଷ୍ଠ ଯନ୍ତ୍ରୀ ବି. ମାରାଣ୍ଡି ପ୍ରହଞ୍ଚିଥିଲେ। ଏହି ସମୟରେ କୋଠାର ଫାଉଣ୍ଡେସନ କାମ ପଥର ବଦଳରେ ସିମେଣ୍ଟ ଇଟାରେ କରାଯାଉଥିବା ନେଇ ପଚାରିବାରୁ ସେ କହିଛନ୍ତି, ଏବେ ଇଟାରେ ହିଁ କାମ ହେଉଛି। ପଥର ଠାରୁ ଇଟାରେ ନିର୍ମାଣ ହୋଇଥିବା ଫାଉଣ୍ଡେସନ ଆହୁରି ଭଲ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଯନ୍ତ୍ରୀଙ୍କୁ ନିର୍ମାଣ କାମ ବିଷୟରେ ପଚାରିବା ପରେ ତରବରିଆ ଭାବେ କୋଠାର ଚାରି ପର୍ଶ୍ୱରେ ସିମେଣ୍ଟ ଲଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଫଳରେ କାମର ମାନକୁ ନେଇ ପ୍ରଶ୍ନ ଉଠିଛି। ଏହି କୋଠା ନିର୍ମାଣ କାମର ତଦନ୍ତ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

Share