Categories: ଜାତୀୟ

ନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ

ନୂଆଦିଲ୍ଲୀ/ଜୟପୁର,୧୯ା୭(ପି.ଟି.): ରାଜସ୍ଥାନର କଂଗ୍ରେସ ସରକାର ଯଦି ଅସାମ୍ବିଧାନିକ ଉପାୟରେ ରାଜନେତାମାନଙ୍କୁ ଫୋନ୍‌ ଟ୍ୟାପିଂ କରୁଥାଏ, ତେବେ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ଭାଜପା ପକ୍ଷରୁ ଦାବି ହୋଇଛି। ରାଜ୍ୟରେ ଅଶୋକ ଗେହଲଟ ସରକାର ଭାଙ୍ଗିବା ପାଇଁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କ ସମେତ ଭାଜପା ନେତାମାନେ ଚକ୍ରାନ୍ତ ଚଳାଇଥିବା କଂଗ୍ରେସ ଅଭିଯୋଗ କରିବା ସହ କେତେକ ଅଡିଓ କ୍ଲିପ୍‌ ଦେଖାଇଥିଲା। ଏହାକୁ ନେଇ ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ନେତାମାନଙ୍କ ଫୋନ୍‌ ଟ୍ୟାପିଂ କରାଯାଉଥିଲା କି ବୋଲି ସମ୍ବିତ୍‌ କଂଗ୍ରେସ ହାଇକମାଣ୍ଡ ଓ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ପ୍ରଶ୍ନ କରିଛନ୍ତି। ସଙ୍କଟରେ ପଡ଼ିବା ପରେ କଂଗ୍ରେସ ସରକାର ନିଜକୁ ବଞ୍ଚାଇବା ପାଇଁ ଅସାମ୍ବିଧାନିକ ଉପାୟ ଆପଣାଇଥିଲେ କି ବୋଲି ଖବରଦାତା ସମ୍ମିଳନୀରେ ସମ୍ବିତ୍‌ ପ୍ରଶ୍ନ କରିଛନ୍ତି।
ରାଜନେତାଙ୍କ ଫୋନ୍‌ ଟ୍ୟାପିଂ ହେଉଥିଲାବେଳେ ରାଜସ୍ଥାନ ଜନସାଧାରଣଙ୍କ ଗୋପନୀୟତା ସହ ସାଲିସ୍‌ କରାଯାଇଛି କି ନାହିଁ ସେମାନେ ଜାଣିବାକୁ ଚାହାନ୍ତି। ରାଜ୍ୟରେ ଏହା ଏକ ଛଦ୍ମ ଜରୁରୀ ପରିସ୍ଥିତି ନୁହେଁ କି ବୋଲି ଭାଜପା ନେତା ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ଜବାବ ଦିଅନ୍ତୁ ବୋଲି ସମ୍ବିତ୍‌ କହିବା ସହ ଫୋନ୍‌ ଟ୍ୟାପିଂର ସିବିଆଇ ତଦନ୍ତ ଦାବି କରିଛନ୍ତି। ସୂଚନାଯୋଗ୍ୟ ଗେହଲଟ ସରକାରଙ୍କୁ ଭାଙ୍ଗିବା ଲାଗି ଭାଜପା ନେତା ଷଡ଼ଯନ୍ତ୍ର ଚଳାଇଥିବା ନେଇ ଦୁଇଟି ଅଡିଓ କ୍ଲିପ୍‌ରୁ ଜଣାପଡ଼ିଥିବା କଂଗ୍ରେସ ପକ୍ଷରୁ ଶୁକ୍ରବାର ଅଭିଯୋଗ କରାଯାଇଥିଲା। ଏହି ଷଡ଼ଯନ୍ତ୍ରରେ ସମ୍ପୃକ୍ତ କେନ୍ଦ୍ରମନ୍ତ୍ରୀ ଶେଖାଓ୍ବତ ଏବଂ ବିଦ୍ରୋହୀ କଂଗ୍ରେସ ବିଧାୟକ ଭଓଁରଲାଲ ଶର୍ମାଙ୍କ ଗିରଫ ଦାବି କରିଥିଲା କଂଗ୍ରେସ। ଶେଖାଓ୍ବତ ଅଭିଯୋଗକୁ ଖଣ୍ଡନ କରି ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ବୋଲି କହିଥିଲେ।

Share