ହାବିଲଦାରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ଦ୍ୱିତୀୟ ସ୍ତ୍ରୀ

ଭୁବନେଶ୍ୱର,୨୧।୧(ବ୍ୟୁରୋ): କମିଶନରେଟ ପୋଲିସରେ କାର୍ଯ୍ୟରତ ଜଣେ ହାବିଲଦାରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆସିଛି। ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ଦ୍ୱିତୀୟ ବିବାହ କରିବା ଏବଂ ଦ୍ୱିତୀୟ ସ୍ତ୍ରୀଙ୍କୁ ମାରଧର କରିବା ଭଳି ଅଭିଯୋଗ ହୋଇଛି। ନିର୍ଯାତନାର ଶିକାର ହୋଇଥିବା ଦ୍ୱିତୀୟ ସ୍ତ୍ରୀ ବାସନ୍ତୀ ସ୍ବାଇଁ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ଧଉଳି ଥାନାର କାର୍ଯ୍ୟରତ ହାବିଲଦାର ସଦାଶିବ ସାହୁଙ୍କ ନାମରେ ଏକ ମାମଲା (ନଂ. ୯/୨୨) ରୁଜୁ ସହ ସଦାଶିବଙ୍କୁ ଗୁରୁବାର ଗିରଫ କରାଯାଇଥିଲା। ପଚରାଉଚରା କରିବା ପରେ ତାଙ୍କୁ ନୋଟିସ ଦେଇ ଛାଡ଼ି ଦେଇଛି। ଅନ୍ୟପକ୍ଷରେ ସଦାଶିବଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ସୂଚନାନୁସାରେ, ସଦାଶିବ ୨୦ବର୍ଷ ତଳେ ପ୍ରଥମ ବିବାହ କରିଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ୩ ଝିଅ ମଧ୍ୟ ଅଛନ୍ତି। ତେବେ ସେ ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ନ ଦେଇ ୨୦୨୧ ଜାନୁୟାରୀରେ ବାସନ୍ତୀଙ୍କୁ ବିବାହ କରିବା ସହ ପୁରୁଣା ଭୁବନେଶ୍ୱରର ଗଡ଼ମହାବୀର ଶାସନରେ ଏକ ଭଡ଼ାଘରେ ରଖିଥିଲେ। ପ୍ରାୟ ୨ ମାସ ହେବ ସଦାଶିବ ତାଙ୍କୁ ମାର୍‌ପିଟ୍‌ କରିବା ସହ ଘରୁ ତଡ଼ିବାକୁ ନେଇ ଧମକ ଦେଇଥିଲେ। ବାସନ୍ତୀ ବିରୋଧ କରିବାରୁ ସଦାଶିବ ତାଙ୍କୁ ପୋଲିସ ବଳର ଭୟ ଦେଖାଉଥିଲେ। ଏପରି କି ଗତ ୩ ତାରିଖରେ ସଦାଶିବ ତାଙ୍କୁ ମାଡ଼ମାରିଥିଲେ। ଶେଷରେ ବାସନ୍ତୀ ଗତ ୧୯ ତାରିଖରେ ମହିଳା ଥାନାରେ ଅଭିଯୋଗ କରିଥିଲେ।

Share