ଝାରପଡ଼ା ଜେଲରେ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଝାରପଡ଼ା ଜେଲରେ କଏଦୀଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯାତନା। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ଓ୍ବାର୍ଡରମାନେ ସଂଘବଦ୍ଧ ଭାବେ ମାଡ଼ ମାରୁଛନ୍ତି। ଏନେଇ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀ ରାକେଶ ବେହେରା ଛାତ୍ରନେତା ମହେଶ ପ୍ରସାଦଙ୍କ ଜରିଆରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଛନ୍ତି। ଜେଲରେ କଏଦୀମାନଙ୍କର ମାନବିକ ଅଧିକାର କ୍ଷୁଣ୍ଣ ହେଉଥିବାରୁ ଘଟଣାର ତଦନ୍ତ କରାଯିବାକୁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଛାତ୍ରନେତା ମହେଶ ପ୍ରସାଦ ଶନିବାର ଏକ ଖବରଦାତା ସମ୍ମିଳନୀ ଡକାଇ ଜେଲର କଳାକାହାଣୀ ବଖାଣିଛନ୍ତି।

ରାକେଶ ତାଙ୍କ ଚିଠିଲେ ଲେଖିଛନ୍ତି ଯେ, ୨୦୨୦ ନଭେମ୍ବର ୧୧ରେ ଜେଲ ଭିତରେ ଓକିଲଙ୍କୁ ଫୋନ କରିବାକୁ ଅପେକ୍ଷା କରିଥିଲି। ପ୍ରଥମଥର ରିଙ୍ଗ ହୋଇଥିଲେ ମଧ୍ୟ କେହି ଫୋନ ଉଠାଇ ନ ଥିଲେ। ଫଳରେ ଦ୍ୱିତୀୟଥର କଲ୍‌ କରିଥିଲି। ରିଙ୍ଗ୍‌ ହେଉଥିବାବେଳେ ଓ୍ବାର୍ଡର ଜୟପ୍ରକାଶ ପ୍ରଧାନ ଫୋନ ଛଡାଇନେଲେ। ଏହାକୁ ବିରୋଧ କରିବାକୁ ସର୍ବସମ୍ମୁଖରେ ମାଡ଼ ମାରିଥିଲେ। ମୋତେ ନିମ୍ନ ଜାତିର ବୋଲି ଆକ୍ଷେପ ମଧ୍ୟ କରିଥିଲେ। ପରେ ବାଡେଇବାରୁ ମୋ ରୁମ୍‌ ନଂ. ୧୯କୁ ଦୌଡି ପଳାଇଥିଲି। ପରେ ୮ରୁ ୧୦ଜଣ ଓ୍ବାର୍ଡର ରୁମ୍‌କୁ ଆସି ମୋତେ ନିସ୍ତୁକ ପିଟିଥିଲେ। ଫଳରେ ଆଜି ପର୍ଯ୍ୟନ୍ତ ୫ମାସ ପରେ ମଧ୍ୟ ବାମ ହାତ ଠିକଭାବେ କାମ କରୁନାହିଁ। ବାମ ହାତ, ଡାହାଣ ହାତ ଓ ପିଠିରେ ମାଡ଼ ଦାଗ ରହିଛି। ଏହାର ଅନୁଧ୍ୟାନ କରାଯିବାକୁ ରାକେଶ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ଲେଖିଛନ୍ତି ଯେ, ନଭେମ୍ବର ୧୪ ରାତି ସାଢେ ୭ଟାରେ ମୋତେ ହସ୍ପିଟାଲ ନେଇଥିଲେ ଓ ଏକ ନିର୍ଦ୍ଦିଷ୍ଟ ଔଷଧ ଖାଇବାକୁ ବାଧ୍ୟ କରିଥିଲେ। ମନା କରିବାରୁ ମେଣ୍ଟାଲ ହସ୍ପିଟାଲ ନେଇ କରେଣ୍ଟ ଓ ଇଞ୍ଜେକ୍ସନ ଦେବାକୁ ଧମକ ଦେଇଥିଲେ। ଏହାଦ୍ୱାରା ଜଣେ କଏଦୀର ମାନସିକ ସ୍ଥିତି କିପରି ପରିବର୍ତ୍ତନ ହେବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଏହିପରି ନିର୍ଯାତନା ଦ୍ୱାରା ଜଣେ କଏଦୀର ମାନବିକ ଅଧିକାର କ୍ଷୁଣ୍ଣ ହେଉଛି। ତାଙ୍କ ପରି ଅନ୍ୟ କଏଦୀଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଛି। ତାଙ୍କୁ ଓ୍ବାର୍ଡରମାନେ ମାଡ଼ ମାରିଥିବାବେଳେ ଅନ୍ୟ ଅଭିଯୁକ୍ତ ଜିତୁ ରଞ୍ଜନ ଖଟେଇ, ରାକେଶ ମହାନ୍ତି, ଗୋପୀନାଥ ନାୟକ, ଲିଙ୍ଗରାଜ ବାରିକ ପ୍ରତ୍ୟକ୍ଷଦର୍ଶୀ ରହିଛନ୍ତି। ଏହି ଘଟଣାର ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାକେଶ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଝାରପଡା ଜେଲ ସୁପରିଣ୍ଟେଣ୍ଡେଣ୍ଟ ଧିରେନ୍ଦ୍ରନାଥ ବାରିକ। ସେ କହିଛନ୍ତି, ଅଭିଯୁକ୍ତ ରାକେଶଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ରାକେଶ ୫ମାସ ତଳେ ଓ୍ବାର୍ଡର ଜୟପ୍ରକାଶଙ୍କୁ ଆକ୍ରମଣକରି ମୁହଁକୁ ମୁଥ ମାରିଥିଲେ। ଏନେଇ ଳକ୍ଷ୍ମୀସାଗର ଥାନାରେ ଅଭିଯୋଗ ମଧ୍ୟ ହୋଇଛି।

Share