ଆଶାକର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ହିଞ୍ଜିଳିକାଟୁ,୧୫।୧୦(ଦ୍ବିତୀକୃଷ୍ଣ ପଣ୍ଡା): (୦୩) ଜଣେ ଆଶା କର୍ମୀଙ୍କୁ କାର୍ଯ୍ୟରତ ସମୟରେ ଡାକ୍ତରଖାନାରେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବି କରି ରବିବାର ହିଞ୍ଜିଳିକାଟୁ ବ୍ଲକର ଆଶାକର୍ମୀମାନେ ଥାନାରେ ଧାରଣା ଦେଇଛନ୍ତି। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ପରେ ଆଶାକର୍ମୀମାନେ ଥାନାରୁ ହଟିଥିଲେ।

ପ୍ରକାଶ ଯେ, ଶନିବାର ହିଞ୍ଜିଳିକାଟୁ ପୌରାଞ୍ଚଳ ୧୭ ନମ୍ବର ଓ୍ବାର୍ଡର ଆଶାକର୍ମୀ ଶାନ୍ତିଲତା ଦାସଙ୍କୁ ଉକ୍ତ ଓ୍ବାର୍ଡର ଜଣେ ବ୍ୟକ୍ତି ଡାକ୍ତରଖାନାରେ ଦୁର୍ବ୍ୟବହାର କରିଥିବା ଆଶାକର୍ମୀମାନେ ଅଭିଯୋଗ କରିଛନ୍ତି। ବ୍ୟକ୍ତି ଜଣକ ତାଙ୍କର ସ୍ତ୍ରୀଙ୍କ ସହ ଡାକ୍ତରଖାନା ଆସିଥିଲେ। କୌଣସି ଘଟଣା ନେଇ ଆଶାକର୍ମୀ ଶାନ୍ତିଲତାଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ସେତିକିବେଳେ ସମ୍ପୃକ୍ତ ବ୍ୟକ୍ତି ଜଣକ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ରବିବାର ହିଞ୍ଜିଳିକାଟୁ ବ୍ଲକ ଆଶାକର୍ମୀ ସଂଘର ବହୁ ସଦସ୍ୟା ଥାନା ପରିସରରେ ରୁଣ୍ଡ ହୋଇଥିଲେ। ଆଶାକର୍ମୀ ଶାନ୍ତିଲତାଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ଏକ ମାମଲା(ନଂ.୭୬୧/୨୩) ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଚଳାଇଛି।