ଭଉଣୀଙ୍କ ମିଳୁନି ପତ୍ତା: ମାରିଦେଇଥିବା ଅଭିଯୋଗ ଆଣିଲେ ଭାଇ

ଝାରସୁଗୁଡ଼ା ଅଫିସ,୧୪।୭: ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା କତରବଗା ଗ୍ରାମର ଗୌର ପ୍ରଧାନଙ୍କ ସ୍ତ୍ରୀ ଗୀତାଞ୍ଜଳି (୩୮) ଗତ ୩୦ତାରିଖରୁ ନିଖୋଜ ହୋଇଯାଇଛନ୍ତି। ଘଟଣାକୁ ୧୫ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳପାରି ନାହିଁ। ଏ ନେଇ ମହିଳାଙ୍କ ଭାଇ ଲକ୍ଷ୍ମଣ ସାହୁ ଗତ ୫ତାରିଖରେ ରେଙ୍ଗାଲି ଥାନା ଓ ଗତ ୮ତାରିଖରେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି, ତାଙ୍କ ଭଉଣୀଙ୍କୁ ଶାଶୁଘର ଲୋକେ ମାରିଦେଇଛନ୍ତି। ଦୋଷ ଲୁଚାଇବା ପାଇଁ ନିଖୋଜ ହୋଇଯାଇଥିବା ବାହାନା କରାଯାଉଛି। ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଛନ୍ତି। ରେଙ୍ଗାଲି ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଥାନା ଆଇଆଇସି କ୍ରେସେନସିଆ ସାମେରିଆ କହିଛନ୍ତି, ନିଖୋଜ ମହିଳାଙ୍କ ଶାଶୁଘର ଲୋକଙ୍କୁ ପଚରାଉଚରା ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଉଛି। ଏହାସହ ମହିଳାଙ୍କ ସ୍ବାମୀଙ୍କ ମୋବାଇଲ୍‌ ସିଡିଆର୍‌ ଯାଞ୍ଚ ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୬ରେ କତରବଗା ଗ୍ରାମର ଗୌରଙ୍କ ସହିତ ସୁନ୍ଦରଗଡ଼ ଜିଲା ହେମଗିରି ଥାନା ବୁଦେଲକାନୀ ଗ୍ରାମର ବିମ୍ବାଧର ସାହୁଙ୍କ ଝିଅ ଗୀତାଞ୍ଜଳିଙ୍କ ବିବାହ ହୋଇଥିଲା। ଗୀତାଞ୍ଜଳି ୫ବର୍ଷ ଶାଶୁଘରେ ଠିକ୍‌ରେ ଚଳିଥିଲେ। ପରେ ସନ୍ତାନସନ୍ତତି ନ ହେବାରୁ ଶାଶୁଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ। ଏହାର ଚିକିତ୍ସା ପାଇଁ ବାପଘରୁ ଟଙ୍କା ଆଣିବାକୁ ଶାଶୁଘର ଲୋକେ ଗୀତାଞ୍ଜଳିଙ୍କ ଉପରେ ଚାପ ପକାଉଥିଲେ। ଏପରି କି ଗୌରଙ୍କୁ ଦ୍ୱିତୀୟ ବିବାହ ପାଇଁ ଯୋଜନା ଚଳାଇଥିଲେ। ଏ ନେଇ ଗୀତାଞ୍ଜଳି ଭାଇ ଲକ୍ଷ୍ମଣଙ୍କୁ ଅନେକଥର କହିଛନ୍ତି। ହେଲେ ଭାଇଙ୍କ ଆର୍ଥତ୍କ ଅବସ୍ଥା ଭଲ ନ ଥିବାରୁ ସେ ଭଉଣୀଙ୍କୁ ସହଯୋଗ କରିପାରି ନ ଥିଲେ। ଫଳରେ ଶାଶୁଘରେ ଭଉଣୀଙ୍କ ନିର୍ଯାତନା ବଢିଥିଲା ା ଏଭଳି ସ୍ଥିତିରେ ଗତ ୩୦ତାରିଖରୁ ଗୀତାଞ୍ଜଳି ନିଖୋଜ ହୋଇଯାଇଛନ୍ତି। ହେଲେ ଏ ନେଇ ଶାଶୁଘର ଲୋକେ ତାଙ୍କ ବାପ ଘରକୁ ଜଣାଇ ନ ଥିଲେ। ପରେ ନିଖୋଜ ଖବର ପାଇ ଲକ୍ଷ୍ମଣ ଭଉଣୀଘର କତରବଗା ଗ୍ରାମରେ ପହଞ୍ଚି ଥିଲେ। ଶାଶୁଘର ଲୋକେ ତାଙ୍କୁ ଦୁର୍ବ୍ୟବହାର କରିଥିବା ଲକ୍ଷ୍ମଣ ଅଭିଯୋଗ କରିଛନ୍ତି।