ମଧ୍ୟାହ୍ନ ଭୋଜନରେ ଚାଉଳ ଚୋରି ଅଭିଯୋଗ

ହିଞ୍ଜିଳିକାଟୁ ୬।୧୦( ଦ୍ବିତୀକୃଷ୍ଣ ପଣ୍ଡା) : ହିଞ୍ଜିଳିକାଟୁ ମୁନିସିପାଲଟି ଅନ୍ତର୍ଗତ ଆଙ୍କୋରଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କିଛି ସ୍ଥାନୀୟ ଲୋକ ଦେଖିବା ପରେ ପାଟିତୁଣ୍ଡ କରିଥିବା ଅଭିଯୋଗ ହୋଇଛି। ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କ ପ୍ରରୋଚନାରେ ଜଣେ କର୍ମଚାରୀଙ୍କ ଦ୍ବାରା ଚାଉଳ ସ୍କୁଲ ଭଣ୍ଡାର ଘରୁ ସ୍କୁଲ ବାହାରକୁ ନିଆ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପାଟିତୁଣ୍ଡ ହୋ ହାଲ୍ଲା କରିଥିଲେ। ଫଳରେ ଉକ୍ତ ଚାଉଳ ତରବରିଆ ଭାବେ ସ୍କୁଲକୁ ଆଣିବା ବେଳେ ଚାଉଳ ପ୍ୟାକେଟ ରାସ୍ତାରେ ପଡି ଯାଇଥିଲା । ସେଠାରେ ଅଞ୍ଚଳବାସୀ ଗହଳି କରିବାରୁ ଉତ୍ତେଜନା ଦେଖାଦେଇଥିଲା। ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଓ ଅନ୍ୟମାନେ ରାସ୍ତା ଉପରୁ ଚାଉଳ ସଂଗ୍ରହ କରି ପୁଣି ସ୍କୁଲ ଷ୍ଟୋର ରୁମରେ ଗଛିତ ରଖିଥିଲେ। ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନ ହଡ଼ପ ନିମନ୍ତେ ଉକ୍ତ ସ୍କୁଲର ଛାତ୍ରୀଛାତ୍ର ଜାଣିଶୁଣି ଅଧିକ ଦର୍ଶାଯାଉଥିବା ଅଭିଯୋଗ ହୋଇଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରିନା ପଣ୍ଡା ଚାଉଳ ଚୋରି ବିଷୟରେ କିଛି ଜାଣି ନ ଥିବା କହିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share