ନୂଆଦିଲ୍ଲୀ,୧୮ା୧: ଭାଜପା ନେତା ତେଜସ୍ବୀ ସୂର୍ଯ୍ୟା ଚେନ୍ନାଇ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ପ୍ରସ୍ଥାନ ଦ୍ୱାର ଖୋଲିଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ବିମାନ ଉଡ଼ାଣ ଦୁଇଘଣ୍ଟା ବିଳମ୍ବ ହେବା ସହ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଗତ ଡିସେମ୍ବର ୧୦ ତାରିଖରେ ଚେନ୍ନାଇରୁ ତିରୁଚିରାପଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଦ୍ୱାରକୁ ଖୋଲିଦିଆଯିବାରୁ ଅନ୍ୟ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ। ଏହା ଜଣାପଡ଼ିବା ପରେ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡୋର ଖୋଲିଥିବା ଯାତ୍ରୀ ଜଣକ ବେଙ୍ଗାଲୁରୁ ଦକ୍ଷିଣ ନିର୍ବାଚନ ମଣ୍ଡଳୀର ଏମ୍ପି ତେଜସ୍ବୀ କି ନୁହନ୍ତି, ତାହା ଡିଜିସିଏ ଅଧିକାରୀମାନେ ସ୍ପଷ୍ଟ କରିନାହାନ୍ତି। ତେବେ ତେଜସ୍ବୀ ଡୋର ଖୋଲିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହା ପୂର୍ବରୁ ବିମାନର କ୍ରିଉ ସଦସ୍ୟ ବିମାନ ଭିତରେ ସୁରକ୍ଷା ପ୍ରୋଟୋକଲ ସମ୍ପର୍କରେ ଯାତ୍ରୀମାନଙ୍କୁ ବୁଝାଇଥିଲେ।