Categories: ଖେଳ

ରେକର୍ଡ ଛକା ସହ ସିରିଜ ଜିତାଇଲେ ଆଲେନ୍‌

ଡୁନେଡିନ୍‌,୧୮ା୧(ପି.ଟି.): ଓପନର ଫିନ୍‌ ଆଲେନ୍‌ ଗୋଟିଏ ଇନିଂସରେ ରେକର୍ଡ ୧୬ ଛକା ମାରିବା ସହ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡକୁ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଜିତାଇଛନ୍ତି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଆଲେନ୍‌ଙ୍କ ୬୨ ବଲ୍‌ ୧୩୭ ରନ୍‌ ବଳରେ ୨୦ ଓଭରରେ ୭ ଉଇକେଟରେ ୨୨୪ ରନ୍‌ କରିଥିଲା। ଜବାବରେ ପାକିସ୍ତାନ ୭ ଉଇକେଟରେ ୧୭୯ ରନ୍‌ କରିଥିଲା।
ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ତେବେ ଫିନ୍‌ ଆଲେନ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆଲେନ୍‌ ୬୨ ବଲ୍‌ ଖେଳି ୫ ଚୌକା ଓ ୧୬ ଛକା ମାରିଥିଲେ। ଏହା ସହ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ସେ ଆଫଗାନିସ୍ତାନର ହଜରତଉଲ୍ଲା ଜଜାଇଙ୍କ ସମକକ୍ଷ ହୋଇଥିଲେ। ସେହିପରି ଟି୨୦ରେ ନ୍ୟୁଜିଲାଣ୍ଡ ପକ୍ଷରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ମଧ୍ୟ ରେକର୍ଡ କରିଥିଲେ। ଆଲେନ୍‌ଙ୍କ ବ୍ୟତୀତ ଟିମ୍‌ ଶେଫର୍ଟ ୩୧ ଓ ଗ୍ଲେନ୍‌ ଫିଲିପ୍ସ ୧୯ ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ହରିସ୍‌ ରୌଫ୍‌ ୨ ଉଇକେଟ ନେଇଥିବା ବେଳେ ଶାହିନ୍‌ ଆଫ୍ରିଦି, ଜମାନ୍‌ ଖାନ୍‌, ମହମ୍ମଦ ନଓ୍ବାଜ ଓ ମହମ୍ମଦ ଓ୍ବାସିମ ଜୁନିୟର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୨୨୫ ରନ୍‌ ଜବାବରେ ପାକିସ୍ତାନ ବାବର ଆଜମଙ୍କ ୫୮ ରନ୍‌ ବଳରେ ୧୭୯ ରନ୍‌ରେ ସୀମିତ ରହିଥିଲା। ବାବର ୩୭ ବଲ୍‌ ଖେଳି ୮ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ନଓ୍ବାଜ ୨୮ ଓ ମହମ୍ମଦ ରିଜଓ୍ବାନ ୨୪ ରନ୍‌ କରିଥିଲେ। ଟିମ୍‌ ସାଉଦି ୨ ଉଇକେଟ ନେଇଥିବା ବେଳେ ମ୍ୟାଟ ହେନରୀ, ଲୋକି ଫର୍ଗୁସନ, ମିଚେଲ୍‌ ସାଣ୍ଟନର ଓ ଇଶ ସୋଧୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ୨୦ ଓଭରରେ ୨୨୪/୭(ଫିନ୍‌ ଆଲେନ୍‌-୧୩୭, ଟିମ୍‌ ଶେଫର୍ଟ-୩୧, ଗ୍ଲେନ୍‌ ଫିଲିପ୍ସ-୧୯, ହରିସ୍‌ ରୌଫ୍‌-୨/୬୦, ମହମ୍ମଦ ଓ୍ବାସିମ୍‌ ଜୁନିୟର-୧/୩୫, ଜମାନ ଖାନ୍‌-୧/୩୭)। ପାକିସ୍ତାନ ୨୦ ଓଭରରେ ୧୭୯/୭(ବାବର ଆଜମ-୫୮, ମହମ୍ମଦ ନଓ୍ବାଜ-୨୮, ମହମ୍ମଦ ରିଜଓ୍ବାନ-୨୪, ଟିମ୍‌ ସାଉଦି-୨/୨୯, ମିଚେଲ ସାଣ୍ଟନର-୧/୨୬, ଲୋକି ଫର୍ଗୁସନ୍‌-୧/୨୭)।

Share