Categories: ଜାତୀୟ

୨୦୧୪ରେ ଭାଜପା ସହ ମେଣ୍ଟ ପିଡିପି ପରାଜୟର କାରଣ

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାନଚରେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଶୋଚନୀୟ ପରାଜୟ ବରଣ କରିଛି। ଏହି ଦଳର ଆସନ ସଂଖ୍ୟା ୩କୁ ହ୍ରାସ ପାଇଛି, ଯାହାକି ୧୯୯୯ ପରେ ଦଳର ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ। ୨୦୧୪ ବିଧାନସଭା ନିର୍ବାଚନରେ ପିଡିପି ୨୮ ଆସନ ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାବେଳେ ଭାଜପା ସହ ମିଶି ସରକାର ଗଢ଼ିଥିଲା। ୧୦ ବର୍ଷ ପରେ ପିଡିପିକୁ ନିରାଶ ହେବାକୁ ପଡ଼ିଥିବାବେଳେ ମେହବୁବାଙ୍କ ଝିଅ ଇଲତିଜା ମୁଫ୍‌ତି ଏବଂ ଦାଦା ସର୍ତାଜ ମଦନି ହାରିଯାଇଛନ୍ତି।

୨୦୦୨ରେ ପିଡିପି ୧୬ ଆସନ ଜିତିଥିବାବେଳେ ୨୦୦୮ରେ ୨୧ ଆସନରେ ବିଜୟୀ ହୋଇଥିଲା। ତେବେ ୨୦୧୫ରେ ଭାଜପା ସହ ମିଶି ସରକାର ଗଢ଼ିବାରୁ ଉପତ୍ୟକାର ଜନସାଧାରଣ ପିଡିପି ଉପରେ କ୍ଷୁବ୍ଧ ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏକାକୀ ସବୁ ନିଷ୍ପତ୍ତି ନେଉଥିବା ଅଭିଯୋଗ କରି ୨୦୧୮ ଜୁନ୍‌ରେ ଭାଜପା ସମର୍ଥନ ପ୍ରତ୍ୟାହାର କରିନେବାରୁ ମେଣ୍ଟ ସରକାର ଭାଙ୍ଗିଯାଇଥିଲା।

ତତ୍କାଳୀନ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସମର୍ଥନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବାସ୍ତବରେ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏଭଳି ନିଷ୍ପତ୍ତି ନେଇଥିଲା। ଭାଜପା ସହ ଅସ୍ବାଭାବିକ ମେଣ୍ଟ ପିଡ଼ିପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଯେଉଁଥିପାଇଁ ଏଥର ନର୍ବାଚନରେ ଜମ୍ମୁ-କଶ୍ମୀର ଭୋଟର ପିଡିପିକୁ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି।

Share