ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି ଅଲିନ

ପାରଳାଖେମୁଣ୍ଡି,୧୫ା୧୦ (ଗିରିଧାରୀ ପରିଛା):ରାଜ୍ୟ ସରକାର ଗରିବ ଅସହାୟମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନର ଆନ୍ତରିକତା ଅଭାବ ହେତୁ କେତେକ ଗରିବ ଲୋକେ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ଗଜପତି ଜିଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ କେ.ଝାଲରସିଂ ଗ୍ରାମର ଖ୍ରୀଷ୍ଟିଆନ ସାହିର ଅଲିନ ସିଂ। ବୟସ ପାଖାପାଖି ୫୦ ହେବ। ଘରେ ଏକୁଟିଆ ଅସହାୟ ଭାବେ ଜୀବନ ବିତାଉଛନ୍ତି। ସାହି ପଡୋଶୀ ତାଙ୍କର ମନଜାଣି ମୁଠେ ଖାଇବାକୁ ଦେଲେ ଖାଆନ୍ତି, ନ ହେଲେ ନାହିଁ। ସବୁଠାରୁ ବଡ଼ କଥା ହେଲା ସେ ଏକ ଅଜଣା ରୋଗରେ ପୀଡ଼ିତ ହୋଇଛନ୍ତି। କେତେବେଳେ ଯେ କେଉଁଠାରେ ତଳେ କଚାଡ଼ି ହୋଇ ପଡ଼ିଯାଆନ୍ତି ସେ ନିଜେ ବି ଜାଣନ୍ତି ନାହିଁ। ଅନେକ ସମୟ ପରେ ଚେତା ଫେରିପାଆନ୍ତି। ଏହିଭଳି ଅବସ୍ଥାରେ ମଜୁରୀ କରି ଗୁଜୁରାଣ ମେଣ୍ଟାଇବାକୁ ଇଛାଥିଲେ ସ୍ବାସ୍ଥ୍ୟ ଅବସ୍ଥା ପାଇଁ କରିପାରୁନାହାନ୍ତି। ତେଣୁ ବେସାହାରା ଅବସ୍ଥାରେ ଘରେ ଏକା ରୁହନ୍ତି। ବେଳେ ବେଳେ ମନ ଫୁର୍ତ୍ତି ପାଇଁ ବାହରକୁ ବୁଲିବାକୁ ଗଲେ ମୁହଁ ବୁଲେଇ ପଡି଼ଯାନ୍ତି। ଯାହା କୁହନ୍ତି କିଛି ସମୟ ପରେ ଭୁଲି ଯାଆନ୍ତି। ତାଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଏନେଇ ପ୍ରଶାସନକୁ ଅନେକ ଥର ଅବଗତ କରିଥିଲେ ହେଲେ କିଛି ସୁଫଳ ମିଳିନ ଥିବା କହିଛନ୍ତି ଲୋକେ।
ସୂଚନା ପ୍ରକାରେ ଅଲିନଙ୍କ ବାପା ଥିଲେ ଶିକ୍ଷକ। ବାପା, ମା’ ଆଗପଛ ହୋଇ ଆରପାରିକୁ ଚାଲିଗଲେ। ସାନ ବଡ଼ ହୋଇ ୫ ଭାଇ। ଭାଇମାନଙ୍କ ମଧ୍ୟରୁ ଅଲିନ ସାନ। ସବୁ ଭାଇ ନିଜ ପରିବାରକୁ ନ଼େଇ ଦୂର ଦୂରାନ୍ତରେ ବାହାରେ ରହୁଛନ୍ତି। ତେଣୁ ସାହିପଡ଼ିଶା ତାଙ୍କର ସାହାରା। ତାଙ୍କ ସହାୟତାରେ ନିଜ ଜୀବନ ବିତାଉଛନ୍ତି। ବାପା ଥିଲା ବେଳେ ଯେଉଁ ଟିଣ ଘରଟି କରିଥିଲେ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଅର୍ଥାଭାବ ଯୋଗୁଁ ମରାମତି କରିନପାରି ସେହି ଭଙ୍ଗା ଦଦରା ଘରେ ନିଜ ଭାଗ୍ୟକୁ ଆଦରି ରହୁଛନ୍ତି। ଅଲିନଙ୍କୁ ଦେଖିଲେ ସରକାରଙ୍କ ଗରିବୀ ଦୂରୀକରଣ ଯୋଜନା ଯେପରି ସଂପୂର୍ଣ୍ଣ ମାରିଛି ଭାବିବାକୁ ହେବ। ତାଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଛି। ଅନିଲଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ଠାରେ ନିବେଦନ କରିଛନ୍ତି ସାହି ପଡୋଶୀ ଲୋକେ। ତାଙ୍କ ବିଷୟ ନେଇ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷମାନଙ୍କୁ ଅବଗତ କରାଇଥିଲେ କିଛି ପଡୋଶୀ। ହେଲେ ଆଜିପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ପାଇ ନାହାନ୍ତି ଅଲିନ। ଏବିଷୟ ନେଇ ସ୍ଥାନୀୟ ସରପଞ୍ଚ ସରିତା ମଣ୍ଡଳଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରିଙ୍କୁ ତାଙ୍କ ବିଷୟରେ ଜଣାଇଛି। ପୁଣି ପୁନର୍ବାର ଅବଗତ କରାଇ ଯେତେ ଶୀଘ୍ର ସମ୍ଭବ ହେବ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Share