ଏଣିକି ବିବାହରେ ୧୦୦, ଶୁଦ୍ଧି କାର୍ଯ୍ୟରେ ୫୦ଜଣଙ୍କୁ ଅନୁମତି

ଭୁବନେଶ୍ୱର, ୩।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଆସନ୍ତା ୬ ତାରିଖରୁ ବିବାହ ଉତ୍ସବରେ ୧୦୦ଜଣ ଲୋକ ଯୋଗଦେବେ। ସେହିପରି ଶୁଦ୍ଧି କାର୍ଯ୍ୟ ଲାଗି ୫୦ ଜଣଙ୍କୁ ଅନୁମତି ମିଳିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ୍‌ କଟକଣା କଡ଼ାକଡ଼ି ହେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏଥିସହ ସମସ୍ତ ପ୍ରକାର ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲଗାଇଛି ବିଏମ୍‌ସି। ସେହିପରି ବିଭିନ୍ନ ଶିକ୍ଷାନୁଷ୍ଠାନରେ କୌଣସି ସମାରୋହ ହୋଇପାରିବ ନାହିଁ ବୋଲି ବିଏମ୍‌ସି ନିର୍ଦ୍ଦେଶ ଦେଇଛି। ଅନ୍ୟପଟେ ବିଏମ୍‌ସିର ବିନା ଅନୁମତିରେ ଭୁବନେଶ୍ୱରରେ କୌଣସି ସାମାଜିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ।
ଅନ୍ୟପକ୍ଷରେ ନିୟମ ଉଲ୍ଲଂଘନ ରୋକିବା ପାଇଁ ବିଏମ୍‌ସିର ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଓ ଏସ୍‌ଇଜେଡ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଶୁକ୍ରବାର ମାର୍କେଟ୍‌ ବିଲ୍ଡିଂରେ ଚଢ଼ାଉ କରି ବିଭିନ୍ନ ଦୋକାନରୁ ଜରିମାନା ଆଦାୟ କରିବା ସହ ବିଶାଲ ମେଗା ମାର୍ଟକୁ ସିଲ୍‌ କରିଛି। କୁଇନ୍ସ କଲେକ୍ସନରୁ ୧୦ହଜାର, କୋଲକାତା ବଜାରରୁ ୫ହଜାର, ସିଟି ଫ୍ୟାଶନରୁ ୫ହଜାର ଓ ଅନ୍ୟ ଦୋକାନରୁ ୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଏମ୍‌ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କ ନେତୃତ୍ୱରେ ଏହି ଟିମ୍‌ରେ ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ, ଆସିଷ୍ଟାଣ୍ଟ କମିଶନର(ଏନ୍‌ଫୋର୍ସମେଣ୍ଟ) ଲିଲନ ପ୍ରସାଦ ସାହୁ ଉପସ୍ଥିତ ଥିଲେ।

Share