Categories: ଜାତୀୟ

ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ

ବାଙ୍ଗାଲୁରୁ,୧୫।୨: କେନ୍ଦ୍ରୀୟ ବିଦ୍ୟାଳୟରେ ମୁସଲିମ ଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ସହ ମ୍ୟାଚ୍‌ କରୁଥିବା ରଙ୍ଗର ହେଡ୍‌ସ୍କାର୍ଫ ପିନ୍ଧିବାକୁ ବିକଳ୍ପ ଦିଆଯାଇଛି। ଏହାକୁ ଆଧାର କରି ସମାନ ଅନୁମତି ଦେବାକୁ କର୍ନାଟକ ହାଇକୋର୍ଟରେ ସରକାରୀ ଶିକ୍ଷାନୁଷ୍ଠାନରେ ହିଜାବ ପ୍ରତିବନ୍ଧକ ବିରୋଧରେ ଆବେଦନକାରୀଙ୍କ ପାଇଁ ମାମଲା ଲଢ଼ୁଥିବା ଓକିଲ କହିଛନ୍ତି।

ମୁଖ୍ୟ ବିଚାରପତି ରିତୁ ରାଜ ଅଓ୍ବସ୍ଥୀ, ଜଷ୍ଟିସ ଜେ ଏମ୍‌ ଖାଜି ଓ ଜଷ୍ଟିସ କ୍ରିଷ୍ଣା ଏମ୍‌ ଦିକ୍ସିତଙ୍କୁ ନେଇ ଗଠିତ ଖଣ୍ଡପୀଠ ହିଜାବ ପ୍ରତିବନ୍ଧକ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରୁଛନ୍ତି। ଏହି ଖଣ୍ଡପୀଠକୁ ଉଡୁପି ସରକାରୀ କଲେଜର ଛାତ୍ରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ଦେବଦତ୍ତ କାମତ କହିଛନ୍ତି, ମୁସଲିମ ଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ କେନ୍ଦ୍ରୀୟ ବିଦ୍ୟାଳୟ ଅନୁମତି ଦେଇଛି। ଏପରି କି କେନ୍ଦ୍ରୀୟ ବିଦ୍ୟାଳୟ ଆଜି ମଧ୍ୟ ନୋଟିଫିକେଶନ ଜରିଆରେ ଏହାକୁ ଅନୁମତି ଦେଇଛି। ଜାତୀୟ ସ୍ତରରେ ଏହା ପରମ୍ପରା ପାଲଟିଛି। ସରକାର ମଧ୍ୟ ମୁଣ୍ଡ ଘୋଡ଼ାଇବା ସ୍କାର୍ଫର ବ୍ୟବହାର ପାଇଁ ଅନୁମତି ଦେଉଛନ୍ତି। ଆଉ ଏହି ଅଧିକାର ସମ୍ବିଧାନର ୨୫ ତମ ଧାରା ଦେଉଛି।

ଏହି ମାମଲାର ଶୁଣାଣି ମଙ୍ଗଳବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

Share