ଆବେଦନର ୭ବର୍ଷ ପରେ ବି ମିଳିଲାନି ଭତ୍ତା

ନିଶ୍ଚିନ୍ତକୋଇଲି,୧୩ା୧୦(ଅଶୋକ କୁମାର ମହାପାତ୍ର): ସରକାର ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଗ୍ରାମାଞ୍ଚଳ ଗରିବଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି। ବହୁ ବୃଦ୍ଧାବୃଦ୍ଧ, ମହିଳା ଓ ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରିଥିଲେ ହେଁ ବିଭାଗୀୟ ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଅପରପକ୍ଷରେ ବହୁ ଅଯୋଗ୍ୟ ହିତାଧିକାରୀ ସମ୍ପୃକ୍ତ ଅଧିକାରୀଙ୍କୁ ହାତ କରି ଭତ୍ତା ହାତେଇଥିବା ଅଭିଯୋଗ ହୋଇଛି। ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚାୟତ ତେନ୍ତଲପୁର ଗଁାର ଜଣେ ବିଧବା ମହିଳା ଆବେଦନର ୭ବର୍ଷ ପରେ ମଧ୍ୟ ଭତ୍ତା ମିଳୁ ନ ଥିବା ଅଭିଯୋଗ ହୋଇଛି। ତେନ୍ତଲପୁର ଗଁାର ଦୁର୍ଯ୍ୟୋଧନ ଦୀର୍ଘ ୭ ବର୍ଷ ହେଲା ମୃତ୍ୟୁବରଣ କଲେଣି। ଦୁର୍ଯ୍ୟୋଧନ ଜଣେ ଭୂମିହୀନ ହୋଇଥିଲା ବେଳେ ତାଙ୍କର କୌଣସି ପୁଅ ନାହାନ୍ତି। ଘରେ ତାଙ୍କର ବିଧବା ସ୍ତ୍ରୀ ରଶ୍ମିତା ନାୟକ(୫୨) ରହିଛନ୍ତି। ରଶ୍ମିତା ବାର୍ଦ୍ଧକ୍ର ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲା ବେଳେ ଔଷଧ ଖାଇବା ନିମନ୍ତେ ତାଙ୍କ ପାଖରେ ଟଙ୍କା ନ ଥିବା ଅଭିଯୋଗ ହୋଇଛି। ଏପରିସ୍ଥଳେ ରଶ୍ମିତା ବିଧବା ଭତ୍ତା ପାଇବା ନିମନ୍ତେ ସ୍ଥାନୀୟ ନେତାଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦ୍ୱାରସ୍ଥ ବାରମ୍ବାର ହୋଇଥିଲେ। ତାଙ୍କ ପ୍ରତି କାହାରି ନିଘା ନାହିଁ। ଅପରପକ୍ଷରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ଓଥକା ଗ୍ରାମର ଜୟରାମ ମହାପାତ୍ର ବାରମ୍ବାର ଭତ୍ତା ଆବେଦନ କରିଥିଲେ ହେଁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଏଥିରୁ ବାଦ ଦିଆଯାଇଥିବା ଅଭିଯୋଗ ହେଉଛି। ନେତା ଠୁ ଅଫିସର ସମସ୍ତଙ୍କୁ ଗୁହାରୀ ପରେ ବି ତାଙ୍କୁ ଭତ୍ତା ମିଳୁ ନ ଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ବ୍ଲକରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଭତ୍ତା ହାତେଇଥିବା ନଜିର ଥିଲା ବେଳେ ରଶ୍ମିତା ପରି ଜଣେ ନିରାଶ୍ରୟା ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହେବା ଘଟଣାଟି ପ୍ରଶାସନର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ରଶ୍ମିତାକୁ ବିଧବା ଭତ୍ତା ପ୍ରଦାନ ନିମନ୍ତେ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବାଲିଆପଦା ସରପଞ୍ଚ ଜୟନ୍ତୀ ଜେନାଙ୍କୁ ପଚାରିବାରେ ସମ୍ପୃକ୍ତା ମହଳିା ଭତ୍ତା ପାଇବା ପାଇଁ ହକଦାର ଥିଲେ ମଧ୍ୟ ତାଙ୍କ ସ୍ବାମୀଙ୍କ କୌଣସି ମୃତ୍ୟୁ ଜନିତ ପ୍ରମାଣପତ୍ର ନ ଥିବା କାରଣରୁ ଭତ୍ତା ଦିଆଯାଇ ପାରୁ ନ ଥିବା ମତବ୍ୟକ୍ତ କରିଥିଲେ।