Categories: ଜାତୀୟ

ଏମ୍‌ପିଙ୍କୁ ମିଳୁଥିବା ସୁବିଧା କମ୍‌ ହେଉ, ସରକାରଙ୍କୁ ଘେରିଲେ ବରୁଣ ଗାନ୍ଧୀ…

ନୂଆଦିଲ୍ଲୀ, ୩।୮ : ଭାଜପା ଏମ୍‌ପି ବରୁଣ ଗାନ୍ଧୀ ବୁଧବାର ପୁଣିଥରେ ନିଜ ଦଳର ସରକାରକୁ ଘେରି ରହିଛନ୍ତି। ଭାଜପାର ରାଜ୍ୟସଭା ଏମ୍‌ପି ସୁଶୀଲ କୁମାର ମୋଦି ଦେଶରେ ରାଜନୈତିକ ଦଳଙ୍କ ଦ୍ୱାରା ମାଗଣା ଉପହାର ଦେବାର କାର୍ଯ୍ୟକଳାପକୁ ରୋକିବା ପାଇଁ ଶୂନ୍ୟକାଳ ନୋଟିସ ଦେଇ ଥିଲେ।

ଏହି ଖବର ଆଧାରରେ ବରୁଣ ଗାନ୍ଧୀ ନିକଜ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ଭାଜପା ଏମ୍‌ପି ସୁଶୀଲ ମୋଦିଙ୍କ ପକ୍ଷରୁ ଗୃହରେ ମାଗଣା ଉପହାର ସଂସ୍କୃତିକୁ ଶେଷ କରିବା ପାଇଁ ଏକ ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଜନସାଧାରଣଙ୍କୁ ଦିଆଯାଇଥିବା ମାଗଣାକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଆମ ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏମ୍‌ପିମାନଙ୍କୁ ମିଳୁଥିବା ପେନସନ ସମେତ ଅନ୍ୟ ସମସ୍ତ ସୁବିଧା ରଦ୍ଦ କରି ଏହାର ଶୁଭାରମ୍ଭ ଏହି ଆଲୋଚନା ମାଧ୍ୟମରେ କାହିଁକି କରାଯିବ ନାହିଁ?

ଏହାପୂର୍ବରୁ ଘରୋଇ ଗ୍ୟାସ ମୂଲ୍ୟ ସମ୍ପର୍କରେ ଭାରତ ସରକାରଙ୍କୁ ବରୁଣ ଘେରି ରହିଥିଲେ। ସେ ଲେଖିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ୪.୧୩ କୋଟି ଲୋକ ଏଲପିଜି ସିଲିଣ୍ଡରର ଗୋଟିଏ ରିଫିଲ ଖର୍ଚ୍ଚ ଉଠାଇ ପାରିନଥିଲେ। ୭.୬୭ କୋଟି ଏହାକୁ ଥରେ ରିଫିଲ କରିଛନ୍ତି। ଘରୋଇ ଗ୍ୟାସ ମୂଲ୍ୟ ବୃଦ୍ଧି ଏବଂ ନଗଣ୍ୟ ସବସିଡି ଯୋଗୁ ଗରିବଙ୍କ ଉଜ୍ୱଳା ଚୁଲି ଲିଭିବାରେ ଲାଗିଛି। ସ୍ବଚ୍ଛ ଇନ୍ଧନ, ଉତ୍ତମ ଜୀବନର ପ୍ରତଶ୍ରୁତି କିପରି ପୂରଣ ହେବ ବୋଲି ସେ ପ୍ରଶ୍ନ କରିଥିଲେ।

ବେରୋଜଗାର ସମ୍ପର୍କରେ କିଛି ଦିନ ପୂର୍ବରୁ ବରୁଣ ଟୁଇଟ କରିଥିଲେ। ସେ ଲେଖିଥିଲେ ଯେ ସଂସଦରେ ସରକାର ଦେଇଥିବା ଏହି ପରିସଂଖ୍ୟାନ ବେକାରୀ ପରିସ୍ଥିତିକୁ ଦର୍ଶାଉଛି। ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ରୀୟ ବିଭାଗରେ ଚାକିରି ପାଇଁ ୨୨ କୋଟି ଯୁବବର୍ଗ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ କେବଳ ୭ ଲକ୍ଷ ଚାକିରି ପାଇଛନ୍ତି। ଅପରପକ୍ଷରେ ଦେଶରେ ପ୍ରାୟ ଏକ କୋଟି ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି ଅଛି। ତେବେ ଏହି ପରିସ୍ଥିତି ପାଇଁ କିଏ ଦାୟୀ ବୋଲି ବରୁଣ ପ୍ରଶ୍ନ କରିଥିଲେ।

 

Share