ପୱନଙ୍କୁ ଅଲ୍ଲୁ ଅର୍ଜୁନଙ୍କ ସମର୍ଥନ

ଅମରାବତୀ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବେ ନିଜ ଫିଲ୍ମ ‘ପୁଷ୍ପା ଦି ରୁଲ୍‌’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ସେ ଏହି ହାଇ ବଜେଟ ଫିଲ୍ମକୁ ନେଇ କ୍ରମାଗତ ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି। ଆସନ୍ତା ୧୩ରେ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଏବେ ଏଥିପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପିଥାପୁରମ୍‌ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜନସେନା ପାର୍ଟି (ଜେଏସ୍‌ପି) ମୁଖ୍ୟ ତଥା ତେଲୁଗୁ ତାରକା ପୱନ କଲ୍ୟାଣଙ୍କୁ ଅଲ୍ଲୁ ନିଜ ଏକ୍ସ’ ହ୍ୟାଣ୍ଡେଲରେ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ତାଙ୍କ ସମର୍ଥନ ପୱନ କଲ୍ୟାଣଙ୍କ ପ୍ରତି ରହିଥିବା ଅଲ୍ଲୁ କହିଛନ୍ତି।
ତାଙ୍କ ଏକ୍ସ’ ଆକାଉଣ୍ଟରେ ପୱନଙ୍କ ପାଇଁ ଏକ ସ୍ବତନ୍ତ୍ର ବାର୍ତ୍ତା ଲେଖିଛନ୍ତି। ସେ ପୱନଙ୍କୁ ତାଙ୍କ ନିର୍ବାଚନୀ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେବାରେ ଉତ୍ସର୍ଗ କରିବାକୁ ପୱନ ତାଙ୍କ ଜୀବନକୁ ବାଛିଥିବା କହି ଏଥିପାଇଁ ପରିବାରର ଜଣେ ସଦସ୍ୟ ଭାବେ ସେ ଗର୍ବିତ ଥିବା ଅଲ୍ଲୁ ନିଜ ପୋଷ୍ଟରେ ଲେଖିଛନ୍ତି। ଏହା ସହ ପୱନଙ୍କ ଏହି ଯାତ୍ରାରେ ସର୍ବଦା ତାଙ୍କର ସମର୍ଥନ ରହିଛି ବୋଲି ଅଲ୍ଲୁ ପ୍ରକାଶ କରିଛନ୍ତି।
କଲ୍ୟାଣ ଖୁବ୍‌ଶୀଘ୍ର ବବି ଦେଓଲଙ୍କ ସହ ‘ହରି ହର୍‌ ବୀରା ମଲ୍ଲୁ’ରେ ନଜର ଆସିବେ। ୨୦୧୯ରେ ଏହି ଚଳଚ୍ଚିତ୍ରର ଘୋଷଣା ହୋଇଯାଇଥିବାବେଳେ କୋଭିଡ୍‌ ମହାମାରୀ ଯୋଗୁ ଏହା ରିଲିଜ୍‌ ହୋଇପାରି ନ ଥିଲା। ସେହିପରି ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା ଦି ରୁଲ୍‌’ ମଧ୍ୟ ଖୁବ୍‌ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ନିକଟରେ ଫିଲ୍ମ ନିର୍ମାତାମାନେ ଏହାର ପ୍ରଥମ ଗୀତ ‘ପୁଷ୍ପା ପୁଷ୍ପା’ ରିଲିଜ୍‌ କରିଛନ୍ତି। ଏହି ଚଳଚ୍ଚିତ୍ରର ଟିଜର ମଧ୍ୟ ପ୍ରକାଶ ପାଇଛି, ଯାହା ଲୋକଙ୍କୁ ଉତ୍ସାହିତ କରିପାରିଛି। ଏହି ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୧୫ରେ ରିଲିଜ୍‌ ହେବ।

Share