
ହାଇଦ୍ରାବାଦ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏବେ ଶୀର୍ଷରେ ରହିଛି। ବକ୍ସ ଅଫିସରେ ‘ପୁଷ୍ପା ୨’ ଫିଲ୍ମ ସୁପର ଡୁପର ହିଟ୍ ହେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ନିକଟରେ ଅଲ୍ଲୁ ନିଜର କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ‘କୋଇମୋଇ’ ଏବଂ ‘ସିନେ ଜୋଶ’ର ରିପୋର୍ଟ ଅନୁଯାୟୀ, ଅଲ୍ଲୁ ତାଙ୍କ ନାମ ସାମାନ୍ୟ ବଦଳାଇବାକୁ ନେଇ ଏବେ ଚିନ୍ତା କରୁଛନ୍ତି। ଜଣେ ଅଙ୍କ ଜ୍ୟୋତିଷଙ୍କ ପରାମର୍ଶ ଆଧାରରେ ଅଲ୍ଲୁ ନିଜ ନାମର ଇଂଲିଶ ସ୍ପେଲିଂକୁ ବଦଳାଇବା ସହ ୨ଟି ଇଂଲିଶ ଆଲ୍ଫାବେଟ ‘ୟୁ’ ଏବଂ ୨ଟି ଇଂଲିଶ ଆଲ୍ଫାବେଟ ‘ଏନ୍’କୁ କିପରି ଯୋଡ଼ାଯିବ ସେନେଇ ଚିନ୍ତା କରୁଛନ୍ତି। ଅଲ୍ଲୁ ନିଜର ସଫଳତାକୁ ଆହୁରି ବଢ଼ାଇବା ସହ ତାଙ୍କ କ୍ୟାରିୟରକୁ ଅଧିକ ମଜଭୁତ କରିବା ପାଇଁ ନିଜ ନାମର ସ୍ପେଲିଂକୁ ବଦଳାଇବାକୁ ଚିନ୍ତା କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ଉକ୍ତ ରିପୋର୍ଟ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଅଲ୍ଲୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇନାହାନ୍ତି। ଆଗାମୀ ଦିନରେ ଅଲ୍ଲୁଙ୍କୁ ଏଟଲିଙ୍କ ନିର୍ଦ୍ଦେଶିତ ‘ଏଏ୨୨’ ଫିଲ୍ମରେ ଦେଖିବାକୁ ମିଳିବ। ଆସନ୍ତା ୮ରେ ଅଲ୍ଲୁଙ୍କ ଜନ୍ମଦିନ ଅବସରରେ ଉକ୍ତ ଫିଲ୍ମରେ ତାଙ୍କ ଲୁକ୍ ଉପରୁ ପରଦା ଉଠିପାରେ ବୋଲି ସିନେ ସମୀକ୍ଷକମାନେ କଳ୍ପନାଜଳ୍ପନା ପ୍ରକାଶ କରିଛନ୍ତି।