ସେରଙ୍ଗ, ଅଜୟଗଡ଼ରେ ଲୁପ୍ତ ପ୍ରାୟ କମଳା ଚାଷ

ଗୁମ୍ମା,୧୮ା୯(ପ୍ରବୀଣ କୁମାର ଲିମା): ଗଜପତି ଜିଲା ଆଦିବାସୀବହୁଳ ବଣ ପାହାଡ଼ ଘେରା ଗୁମ୍ମା ବ୍ଲକର ପାରମ୍ପରିକ ଚାଷ ଦିନକୁ ଦିନ ଲୁପ୍ତ ହେବାରେ ଲାଗିଛି। ବିଶେଷ କରି କମଳା ଚାଷ ପାଇଁ ଉପଯୁକ୍ତ ପାଣିପାଗ ଓ ବାତାବରଣ ଥିବା ଅଜୟଗଡ଼ ଏବଂ ସେରଙ୍ଗ ପଞ୍ଚାୟତରେ ମଧ୍ୟ ଆଉ କମଳା ଚାଷ ଦେଖିବାକୁ ମିଳୁନି। ବିଗତ ଦିନଗୁଡ଼ିକରେ ପ୍ରଚୁର ପରିମାଣର କମଳା ଉତ୍ପାଦନ ହେଉଥିବା ବେଳେ ଦିନକୁ ଦିନ ଏହି ଚାଷ ଉପରୁ ଚାଷୀ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି। ପୋଡୁ ଚାଷ ଏବଂ କାଜୁବଣ ବୃଦ୍ଧି ଯୋଗୁ ପରିବେଶ ଉପରେ ତଥା ଜଳବାୟୁ ପ୍ରଦୂଷଣରେ କୁପ୍ରଭାବ ପଡୁଥିବା ପରିବେଷଣ ବିଶେଷଜ୍ଞମାନଙ୍କ ଦ୍ୱାରା ମତ ପ୍ରକାଶ ପାଇଛି। ଏଣୁ ଚାଷୀମାନଙ୍କୁ ସଚେତନତା କରାଯାଇ କମଳା ଚାରାକୁ ବହୁ ପରିମାଣରେ ଯୋଗାଇ ଦେଲେ ପରିବେଶରେ ସନ୍ତୁଳନ ଆସିବା ସହିତ କମଳା ଚାଷର ଚାହିଦା ବୃଦ୍ଧି ପାଇବ। ସେରଙ୍ଗ ଓ ଅଜୟଗଡ଼ ଅଞ୍ଚଳରେ କମ ଉତ୍ପାଦନ ହେଉଥିବା କାଜୁ ଚାଷ ଉପରେ ନିର୍ଭର ନ କରି କମଳା ଚାଷକୁ ଗୁରୁତ୍ୱ ଦେବାକୁ ଅଜୟଗଡ଼ ଓ ସେରଙ୍ଗ ଅଞ୍ଚଳର ଚାଷୀମାନଙ୍କୁ ସଚେତନ କରାଗଲେ ଚାଷୀଙ୍କ ଆୟ ବୃଦ୍ଧି ହେବା ସହିତ ପାରମ୍ପରିକ କମଳା ଚାଷର ସଂରକ୍ଷଣ କରାଯାଇପାରିବ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି। କମଳା ଭଳି ଏକ ମୂଲ୍ୟବାନ ଫଳ ଉତ୍ପାଦନ ହେଲେ ଅନେକ ଲୋକ ସ୍ଥାନୀୟ ବଜାରରେ ଏହାକୁ ପାଇବା ସହ ଚାଷୀଙ୍କ ଆୟ ବୃଦ୍ଧି ପାଇବ ବୋଲି ସୁରେଶ ବଡ଼ ଦଳାଇ, ମାଲୀୟ ପାଇକ, ଦେବେନ୍ଦ୍ର ପ୍ରଧାନ, ରୂପ ଶବର, ନୋହର ଗମାଙ୍ଗ, ଏଲିଅ ଶବର ଓ କାର୍ତ୍ତିକ ଗମାଙ୍ଗ କହିଛନ୍ତି। ସରକାରୀ ସ୍ତରରେ କମଳା ଚାଷ ପ୍ରତି ପ୍ରୋତ୍ସାହନ ଦେଲେ କମଳା ଫଳର ଫାଇଦା ଚାଷୀ ଓ ଅଞ୍ଚଳବାସୀ ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏନେଇ ଅଜୟଗଡ଼ ଅଞ୍ଚଳର ଅଢେଇ, ବାଲମୁଣ୍ଡା, ଗିରା,ତିବିସିଂ ଓ ଲୁହାରା ଗ୍ରାମରେ ୨୦୨୦ଠାରୁ ୨୦୨୪ ବର୍ଷ ମଧ୍ୟରେ ହାରାହାରି ୭୦ହେକ୍ଟର ଜମିରେ କମଳା ଚାରାରୋପଣ କରିବା ସହ କମଳା ଚାଷ ପାଇଁ ଉଦ୍ୟମ କରାଯିବ ବୋଲି ବ୍ଲକ ଉଦ୍ୟାନ ଅଧିକାରୀ ଦିଲୀପ ଡିଙ୍ଗାଲ କହିଛନ୍ତି।