ଆଲୋଭେରା ଏକ ଔଷଧୀୟ ଗଛ। ତା’ ସହିତ ବାସ୍ତୁ ଦୃଷ୍ଟିରୁ ବିଚାରକଲେ ମଧ୍ୟ ଏହା ଘର ପାଇଁ ବେଶ୍ ଶୁଭଙ୍କର। ସୌନ୍ଦର୍ଯ୍ୟ ପାଇଁ ବି ଆଲୋଭେରା ଗଛର ବିକଳ୍ପ ନାହିଁ। ଏହି ଗଛର ପାଖାପାଖି ୨୫୦ ପ୍ରକାର ପ୍ରଜାତି ଥିବାବେଳେ ଚାରି ପ୍ରକାର ଆଲୋଭେରାକୁ ଖାଇବା ସହ ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରାଯାଏ। ଆଲୋଭେରା ଜେଲ୍କୁ କିଣିବା ବଦଳରେ ଗଛରୁ ଆଣି ବ୍ୟବହାର କରିବେ, ତା’ହାଲେ ତା’ମଧ୍ୟରେ ଥିବା ଭିଟାମିନ ଓ ଆଣ୍ଟିଅକ୍ସିଡାଣ୍ଟ୍ ଅଧିକ ଲାଭ ଦେବ। ଆଲୋଭେରାରେ ଭିଟାମିନ୍-ଏ, ଭିଟାମିନ-ସି ଓ ଭିଟାମିନ-ଇ, ଭିଟାମିନ-ବି ୧୨, ଫୋଲିକ୍ ଏସିଡ୍ ଆଦି ରହିଛି। ଏହା ମଧ୍ୟରେ ପୋଲିଫେନେଲ ଅଛି, ଯାହା ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆକୁ ବଢ଼ିବାକୁ ଦିଏନାହିଁ। ସୌନ୍ଦର୍ଯ୍ୟ ପାଇଁ ଆଲୋଭେରା ଖୁବ୍ ଉପଯୋଗୀ। ଏହାର ପତ୍ରକୁ କାଟି ଏଥିରୁ ରସ ବାହାର କରି ରାତିରେ ମୁହଁରେ ଲଗାଇ ଶୋଇଲେ ମୁହଁରୁ ଦାଗ ଛାଡ଼ିଯିବ। ଯେଉଁମାନଙ୍କର ତୈଳୀୟ ତ୍ୱଚା ସେମାନେ ଆଲୋଭେରା ଜେଲ୍ ସିଧା ଲଗାନ୍ତୁ। ଆଉ ଯେଉଁମାନଙ୍କର ସାଧାରଣ ବା ଶୁଷ୍କ ତ୍ୱଚା ସେମାନେ ଭିଟାମିନ୍-ଇ କ୍ୟାପସୁଲକୁ ଭାଙ୍ଗି ତିନିବୁନ୍ଦା ଅଏଲ୍ ଆଲୋଭେରା ଜେଲରେ ପକାଇ ଲଗାନ୍ତୁ। ଏହାଦ୍ୱାରା ଆଣ୍ଟି ଏଜିଙ୍ଗ୍ ଓ ତ୍ୱଚା ଲୋଚାକୁଚା ହୁଏ ନାହିଁ।
– ଯଦି ଶରୀରର କୌଣସି ଜାଗାରେ ଫୋଟକା ହୋଇଯାଏ ତା’ହେଲେ ଆଲୋଭେରା ଜେଲରେ ଭିଟାମିନ-ଇ କ୍ୟାପସୁଲ ପକାଇ ଦିନକୁ ଦୁଇ ତିନିଥର ଲଗାଇଲେ ପୋଡ଼ି ଯାଇଥିବା ଜାଗାରେ ଦାଗ ବି ରହିବନି।
– ଆଲୋଭେରା ଜେଲରେ ଦୁଇ ତିନି ବୁନ୍ଦା ନଡ଼ିଆ ତେଲ ମିଶାଇ ଦିନକୁ ଦୁଇ ତିନିଥର ଲଗାଇଲେ ସନବର୍ଣ୍ଣ ଭଲ ହୋଇଯିବ। ତେବେ ସନବର୍ଣ୍ଣ ହୋଇଥିବା ଜାଗାରେ ସାବୁନ ଆଦୌ ଲଗାଇବେ ନାହିଁ।
– ଯେଉଁମାନଙ୍କର ଡାଇବେଟିସ ଅଛି ଓ ଶରୀରର ଘା’ ଶୁଖୁନାହିଁ, ତାହେଲେ ଆଲୋଭେରା ଜେଲ୍ ବାହାର କରି ଘା’ ଉପରେ ଲଗାଇ ପଟିଟିଏ ବାନ୍ଧି ଦିଅନ୍ତୁ ଘା’ ଜଲ୍ଦି ଶୁଖିଯିବ।