ଧୋନୀଙ୍କ ପରେ ଅବସର ନେଲେ ସୁରେଶ ରାଇନା

ଚେନ୍ନାଇ, ୧୫।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିବାର କିଛି ସମୟ ପରେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ସାଥୀ ଖେଳାଳି ସୁରେଶ ରାଇନା। ଉତ୍ତର ପ୍ରଦେଶ ଜନ୍ମିତ ୩୩ ବର୍ଷୀୟ ରାଇନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିଛନ୍ତି। ରାଇନା ନିଜର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ୨୦୧୮ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ଏହି ଟି୨୦ ମ୍ୟାଚ୍‌ରେ ସେ କିନ୍ତୁ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ। ଅବରସ ଘୋଷଣା କରିଥିଲେ ମଧ୍ୟ ରାଇନା ଆଇପିଏଲ୍‌ରେ ଖେଳ ଜାରି ରଖିବେ।
ଓଭର କ୍ରିକେଟ୍‌ରେ ଜଣେ ବିଶେଷଜ୍ଞ ଖେଳାଳି ଭାବେ ସ୍ବତନ୍ତ୍ର ପରିଚୟ ଲାଭ କରିଥିବା ରାଇନା ୨୦୦୫ରେ ଦାମ୍ବୁଲାରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚ୍‌ ସହ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୮ରେ ସେ ତାଙ୍କ ଶେଷ ଦିନିକିଆ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ମୋଟ୍‌ ଉପରେ ସେ ୨୨୬ ଦିନିକିଆ ମ୍ୟାଚ୍‌ ଖେଳି ୫,୬୧୫ ରନ୍‌ ସଂଗ୍ରହ କରିଛନ୍ତି। ସେହିଭଳି ୧୮ ଟେଷ୍ଟ ଓ ୭୮ ଟି୨୦ ମ୍ୟାଚ୍‌ରୁ ଯଥାକ୍ରମେ ୭୬୮ ଓ ୧,୬୦୪ ରନ୍‌ ସଂଗ୍ରହ କରିଛନ୍ତି। ରାଇନା ଅନ୍ତର୍ଜାତୀୟ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ ଟେଷ୍ଟ (ଗୋଟିଏ), ଦିନିକିଆ (୫ଟି) ଓ ଟି୨୦ (ଗୋଟିଏ)ରେ ଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ସେହିଭଳି ବୋଲିଂରେ ମଧ୍ୟ ରାଇନା ଟେଷ୍ଟରେ ୧୩, ଦିନିକିଆରେ ୩୬ ଓ ଟି୨୦ରେ ୧୩ଟି ଉଇକେଟ୍‌ ନେଇଛନ୍ତି।

Share