ପୁଣି ଆମ୍ବୁଲାନ୍ସ, ହୋଟେଲ କର୍ମଚାରୀଙ୍କୁ ଜେରା

ରାୟଗଡ଼ା,୪।୧(ସ୍ବ.ପ୍ର.): ଓଡ଼ିଶା ଭ୍ରମଣରେ ଆସିଥିବା ରୁଷୀୟ ପର୍ଯ୍ୟଟକ ତଥା ସେଠାକାର ଏମ୍‌ପି ପାଭେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଡିମିର ବିଦାନୋଭଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ୫ମ ଦିନରେ ପହଞ୍ଚତ୍ଛି। ତଦନ୍ତ ଜୋର୍‌ଦାର କରିଛି କ୍ରାଇମବ୍ରାଞ୍ଚ ଟିମ୍‌। ବାଇକରେ ବୁଲି ତଦନ୍ତ ପାଇଁ ବିଭିନ୍ନ ଆଡ଼େ ଯାଉଥିବା ବେଳେ ନଜରକୁ ଆସିଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି ସରୋଜକାନ୍ତ ମହାନ୍ତ। ମଙ୍ଗଳବାର ଦୁଇଟି ପର୍ଯ୍ୟାୟରେ ତଦନ୍ତ ଏବଂ ଜେରା କରାଯାଇଛି। ସକାଳୁ କ୍ରାଇମବ୍ରାଞ୍ଚ ଟିମ୍‌ ୨ଭାଗରେ ବିଭକ୍ତ ହୋଇ ଜିଲା ପୋଲିସ କାର୍ଯ୍ୟାଳୟ ଏବଂ ଥାନାକୁ ଯାଇଥିଲେ। ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଥାନାକୁ ଡାକି ଜେରା କରାଯାଇଛି। ଦୀର୍ଘ ସମୟ ଧରି ଥାନା ଭିତରେ ଏହି ଜେରା ଚାଲିଥିଲା। ପାଭେଲ ଓ ବିଦାନୋଭଙ୍କୁ ଡାକ୍ତରଖାନା ନେଇଥିବା ଆମ୍ବୁଲାନ୍ସ କର୍ମଚାରୀ ଏବଂ କେତେଜଣ ହୋଟେଲ କର୍ମଚାରୀଙ୍କୁ ଜେରା କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଏସ୍‌ପି ମହାନ୍ତ କହିଛନ୍ତି। ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ତପନ ଦାସ ୪ଜଣିଆ ଟିମ୍‌ ସହ ରାୟଗଡ଼ା ଥାନାରେ ପହଞ୍ଚତ୍ଛନ୍ତି । ସୂଚନାନୁଯାୟୀ, ଘଟଣାର ତଦନ୍ତ ନିମନ୍ତେ ଡିଏସ୍‌ପି ତପନ ଦାସଙ୍କ ନେତୃତ୍ୱରେ ୨ ଟିମ୍‌ ଗଠନ କରାଯାଇଥିଲା। ଗୋଟିଏ ଟିମ୍‌ କଟକରେ ପାଭେଲ ଓ ବିଦାନୋଭଙ୍କ ସହ ଆସିଥିବା ରୁଷୀୟ ପର୍ଯ୍ୟଟକ ଦମ୍ପତି ତୁରଭ ମିଖାଇଲ ଏବଂ ପାନାସାଙ୍କୋ ନାତାଲିଆ ଏବଂ ଗାଇଡ୍‌ ଜିତେନ୍ଦ୍ର ସିଂଙ୍କୁ ଜେରା କରୁଛନ୍ତି। ଅନ୍ୟ ଟିମ୍‌ ଡିଏସ୍‌ପି ମହାନ୍ତଙ୍କ ନେତୃତ୍ୱରେ ରାୟଗଡ଼ା ଆସି ଡିସେମ୍ବର୨୭ରୁ ତଦନ୍ତ କରୁଛି। କଟକ ଏବଂ ରାୟଗଡ଼ାରୁ ମିଳିଥିବା ତଥ୍ୟ ଏବଂ ପ୍ରମାଣକୁ ଭିତ୍ତିକରି ତପନ ଦାସ ରାୟଗଡ଼ା ଆସି ତଦନ୍ତ କରିବେ । ବର୍ତ୍ତମାନ ମୋଟ ୬୧ଜଣଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେମାନଙ୍କ ମଧ୍ୟରୁ ୪୩ଜଣଙ୍କୁ ପଚରାଉଚୁରା କରି ବୟାନର ଭିଡିଓ ରେକର୍ଡିଂ କରାଯାଇଥିବା ସୂଚନା ମିଳିଛି। ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ କେବେ ଖୋଲିବ ତାହା ଦେଖିବାକୁ ବାକି ରହିଲା।