ସରକାରୀ ଛୁଟିରେ କାମ କଲେ ଡାକ୍ତରଙ୍କୁ ମିଳିବ ବିକଳ୍ପ ଛୁଟି

ଭୁବନେଶ୍ୱର, ୧୩ା୧୦ (ବନ୍ଦନା ସେଠୀ):ଡାକ୍ତରମାନଙ୍କୁ ମିଳିବ ସି-ଅଫ୍‌। ସରକାରୀ ଛୁଟି ଦିନରେ କାମ କଲେ ବିକଳ୍ପ ଭାବେ ଛୁଟି ମିଳିବ। ସେହି ମାସର ଯେ କୌଣସି ଦିନ ସେମାନେ ଏହି ଛୁଟି ନେଇ ପାରିବେ। ଏନେଇ ମେଡିକାଲ ଅଧୀକ୍ଷକ ଓ ଇନ୍‌ଚାର୍ଜ ରୋଷ୍ଟର ବ୍ୟବସ୍ଥା କରିବେ। ତେବେ ସେହି ଛୁଟିକୁ ପରବର୍ତ୍ତୀ ମାସକୁ ନିଆଯାଇ ପାରିବ ନାହିଁ। ମେଡିକାଲ ଅଧିକାରୀଙ୍କ ଏହି ବିକଳ୍ପ ଛୁଟି ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ବିକଳ୍ପ ଛୁଟି ଦିନଗୁଡିକୁ ଡାକ୍ତରଙ୍କ ସିଏଲ୍‌/ଇଏଲ୍‌ ଛୁଟି ସହିତ ମିଶାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏଥିପାଇଁ ସରକାର ଓଏଚ୍‌ଏମ୍‌ଏସ୍‌ (ଓଡ଼ିଶା ମେଡିକାଲ ଆଣ୍ଡ୍‌ ହେଲ୍‌ଥ ସର୍ଭିସ) କ୍ୟାଡର ଅଧୀନରେ ଥିବା ଡାକ୍ତରୀ ଅଧିକାରୀଙ୍କ ମଧ୍ୟରେ ଛୁଟି ଆବଣ୍ଟନ ପାଇଁ ଏକ ସ୍ବଚ୍ଛ ଏବଂ ସମାନ ବ୍ୟବସ୍ଥା ଆଣିଛନ୍ତି। ଏନେଇ ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ ରାଉରକେଲା ସରକାରୀ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ ଏବଂ ବିଏମ୍‌ସି ହସ୍ପିଟାଲର ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଜିଲା, ଉପବିଭାଗ ତଥା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ମେଡିକାଲ ଏବଂ ଜନସ୍ବାସ୍ଥ୍ୟ ଅଧିକାରୀ ଅଧୀକ୍ଷକଙ୍କୁ ଅବଗତ କରାଇଛନ୍ତି।

Share