କଥା ପକ୍କା ହୋଇଗଲା, ଖାଲି ନିମନ୍ତ୍ରଣ କାର୍ଡ ବାଣ୍ଟିବା ବାକି

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଅଲି ଗୋନୀ ଏବଂ ଜସ୍ମିନ ଭସିନ। ଏକାଠି ଅନେକ ରିଆଲିଟି ଶୋ’ରେ ନଜର ଆସିଥିବା ଏହି ଯୋଡ଼ି ଏବେ ସମ୍ପର୍କକୁ ଆଉ ପାଦେ ନେବାକୁ ଚାହାନ୍ତି। ସେଥିପାଇଁ ଉଭୟ ପରିବାରଲୋକଙ୍କ ସହ କଥା ହୋଇଛନ୍ତି। ସେମାନଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଦୁହେଁ ବେଶ ଖୁସି ଅଛନ୍ତି। ସୋସିଆଲ ମିଡିଆରେ ଅଲି ଏନେଇ ପ୍ରଶଂସକଙ୍କୁ ମଧ୍ୟ ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ସେ କହିଛନ୍ତି, ଶେଷରେ କଥା ପକ୍କା ହୋଇଗଲା। ମୁଁ ଏବଂ ଜସ୍ମିନ ପିତାମାତାଙ୍କୁ କହିଦେଇଛୁ। ଆମେ ବହୁତ ଖୁସି ଅଛୁ। କେବଳ ନିମନ୍ତ୍ରଣ କାର୍ଡ ବାଣ୍ଟିବା ବାକି ଅଛି ବୋଲି ସେ ମଧ୍ୟ କହିଛନ୍ତି। ତେବେ କେଉଁ ତାରିଖରେ ହାତଗଣ୍ଠି ପଡ଼ିବ ତାହା ଜଣାପଡ଼ି ନାହିଁ।

କହିରଖୁଛୁ, ବିଗ୍‌ବସ୍‌ ୧୫ରେ ଅଲି ଓ୍ବାଇଲ୍ଡ କାର୍ଡ ଭାବେ ସାମିଲ ହୋଇଥିଲେ। ସେବେଠାରୁ ସେମାନେ ପରସ୍ପରକୁ ଡେଟ୍‌ କରୁଥିବା କୁହାଯାଉଥିଲା। ହେଲେ ଶୋ’ରେ ରହି ସେମାନେ ଭଲ ବନ୍ଧୁ ବୋଲି ପରିଚୟ ଦେଉଥିଲେ। ଧିରେ ଧିରେ କିନ୍ତୁ ପରିସ୍ଥିତି ବଦଳିଥିଲା। ଉଭୟ ନିକଟତର ହୋଇଥିଲେ। ଶୋ’ ଶେଷ ହେବା ପରେ ଦୁହେଁ ଅନେକ ମ୍ୟୁଜିକ୍‌ ଭିଡିଓ, ଶୋ’, ଇଭେଣ୍ଟ ଏବଂ ବିଜ୍ଞାପନରେ ନଜର ଆସିଛନ୍ତି। ପ୍ରାୟତଃ ସେମାନେ ଏକାଠି ବୁଲିବାକୁ ଯାଇଥାନ୍ତି। ଏଣୁ ତାଙ୍କର ପ୍ରଶଂସକ ବିବାହ କେବେ କରିବେ ସେ ଦିନକୁ ଅପେକ୍ଷା କରି ରହିଥିଲେ। ଏବେ ସେ ସମୟ ଆସିସାରିଛି ବୋଲି କହିପାରିବା।

Share