Categories: ଜାତୀୟ

ରମଜାନକୁ ନେଇ ରାଜ ଠାକରେଙ୍କ ବିବାଦୀୟ ବୟାନ

ମୁମ୍ବାଇ,୩ ।୪: କର୍ନାଟକରେ ଉଠିଥିବା ହିଜାବ ବିବାଦ ତୁଟି ନ ଥିବା ବେଳେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମସଜିଦରେ ଲାଗିଥିବା ଲାଉଡ ସ୍ପିକର ହଟାଇବାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଶନିବାର ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେ ଗୁଡି ପଡୱା(ନୂଆ ବର୍ଷ) ଅବସରରେ କହିଛନ୍ତି ମସଜିଦରୁ ମାଇକ ହଟାଇବାକୁ ପଡିବ । ଏହା ମାଧ୍ୟମରେ ରାଜ ଠାକରେ ପୁଣିଥରେ ହିନ୍ଦୁତ୍ୱ କଥା ଉଠାଇଛନ୍ତି ।
କରୋନା ମହାମାରୀ କାରଣରୁ ୨ ବର୍ଷ ପରେ ଶିବାଜୀ ପାର୍କରେ ମହାରାଷ୍ଟ୍ର ନବ ନିର୍ମାଣ ସେନାର କର୍ମୀ ସମ୍ମିଳନୀରେ ରାଜ ଠାକରେ ସମ୍ବୋଧନ ଦେଉଥିଲେ । ସେ କହିଥିଲେ ମୁଁ ଧର୍ମାନ୍ଧ ନୁହେଁ ବରଂ ଧର୍ମ ଅଭିମାନୀ । ମୁଁ ଖୁବ ଶୀଘ୍ର ଅଯୋଧ୍ୟା ଗସ୍ତ କରିବି ଓ ରାମଲଲାଙ୍କ ଦର୍ଶନ କରିବି ।
ରାଲିକୁ ସମ୍ବୋଧିତ କରିବା ଅବସରରେ ରାଜ ଠାକରେ କହିଥିଲେ ମୁଁ ନମାଜ ବିରୋଧରେ ନୁହଁ । ହେଲେ ସରକାର ମସଜିଦରୁ ଲାଉଡ ସ୍ପିକର ହଟାଇବାକୁ ନିଷ୍ପତ୍ତି ନିଅନ୍ତୁ । ମୁଁ ଏବେ ଚେତାବନୀ ଦେଉଛି ଲାଉଡ ସ୍ପିକର ହଟାଇ ଦିଅନ୍ତୁ ନଚେତ ମସଜିଦ ସାମ୍ନାରେ ଲାଉଡ ସ୍ପିକର ଲଗାଇ ହନୁମାନ ଚାଳିଶା ବାଜାଯିବ । ସେ ଆହୁରି ମଧ୍ୟ କହିଛନ୍ତି ମୋତେ ଖୁସି ଲାଗୁଛି ଉତ୍ତର ପ୍ରଦେଶ ପ୍ରଗତି କରୁଛି ମହାରାଷ୍ଟ୍ର ବି ପ୍ରଗତି କରିବା ଦରକାର ।

Share