Categories: ଜାତୀୟ

ଅସୁସ୍ଥତା ଦର୍ଶାଇ କୋର୍ଟରେ ଅନୁପସ୍ଥିତ ରହୁଥିବା ପ୍ରଜ୍ଞାଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

ଭୋପାଳ,୯।୭: ମାଲେଗାଓଁ ବିସ୍ଫୋରଣ ମାମଲାରେ ଅସୁସ୍ଥତା ଦର୍ଶାଇ କୋର୍ଟରେ ଶୁଣାଣି ବେଳେ ଅନୁପସ୍ଥିତ ରହୁଥିବା ଭାଜପା ଏମ୍‌ପି ପ୍ରଜ୍ଞା ଠାକୁର ନାଚୁଥିବା ଭିଡିଓ ଭାଇରାଲ ହୋଇଛି। ଅତ୍ୟନ୍ତ ଗରିବ ପରିବାରର ଯୁବତୀ ପାଇଁ ଭୋପାଳ ବାସଭବନରେ ଭାଜପା ଏମ୍‌ପି ଆୟୋଜନ କରିଥିଲେ ଏକ ବିବାହ ଉତ୍ସବ। ଏହି ବିବାହ ଉତ୍ସବରେ ୫୧ ବର୍ଷୀୟା ଏମ୍‌ପି ଅନ୍ୟ ମହିଳାଙ୍କ ସହ ନାଚୁଥିବା ଭିଡିଓ ଭାଇରାଲ ହୋଇଛି।

ଏହି ଭିଡିଓକୁ ଟୁଇଟ୍‌ କରି କଂଗ୍ରେସ ନେତା ନରେନ୍ଦ୍ର ସାଲୁଜା ଲେଖିଛନ୍ତି, ବିନା କୌଣସି ସାହାଯ୍ୟରେ ଚାଲି ପାରୁ ନ ଥିବା ଭାଜପା ଏମ୍‌ପିଙ୍କୁ ବାସ୍କେଟ ବଲ ଖେଳୁଥିବା ଓ ନାଚୁଥିବା ଦେଖିଲେ ଖୁସି ଲାଗୁଛି ନା… ?

ବିବାଦୀୟ ଟିପ୍ପଣୀ ପାଇଁ ଜଣାଶୁଣା ପ୍ରଜ୍ଞାଙ୍କ ପାଇଁ ବହୁବାର ତାଙ୍କ ଦଳ ଭାଜପାକୁ ଲଜ୍ଜିତ ହେବାକୁ ପଡ଼ିଛି। ୨୦୦୮ ମାଲେଗାଓଁ ବିସ୍ଫୋରଣ ଘଟଣାର ସେ ମୁଖ୍ୟ ଅଭିଯୁକ୍ତ। ଏହି ମାମଲାରେ ୯ ବର୍ଷ ଜେଲଦଣ୍ଡ ଭୋଗିବା ପରେ ୨୦୧୭ରେ ତାଙ୍କୁ ବେଲ୍‌ ମିଳିଥିଲା। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଠାରୁ ୨୦୦ କିମି ଦୂର ମାଲେଗାଓଁର ମସଜୀଦ ପାଖରେ ଘଟିଥିବା ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୦୦ ଜଣ ଆହତ ହୋଇଥିଲେ।

Share