‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୧: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଗୁରୁବାର ଭୁବନେଶ୍ବରରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ୫୦ ଲକ୍ଷ ଟଙ୍କା ପାଇବେ। ବିକାଶକୁ ଏବେ ଦେଖି ହେଉଛି, ଅନୁଭବ ବି କରି ହେଉଛି, ଗଞ୍ଜାମ ସାରା ଭାରତବର୍ଷକୁ ବିକାଶର ରାସ୍ତାରେ ପ୍ରେରିତ କରିଛି, ଗଞ୍ଜାମ ଜିଲା ସାରା ଦେଶରେ ଏକ ନମ୍ବର, ହିଞ୍ଜିଳି ବ୍ଲକ ମଧ୍ୟ ସାରା ଦେଶରେ ଏକ ନମ୍ବର, ଭାରତ ସରକାରଙ୍କଠାରୁ ମିଳିଛି ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ଦୁଇଟି ଜିଲାର ୭୬ଟି ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୧୮୧.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅନେକ ମଠ, ମନ୍ଦିର, ଶିକ୍ଷାନୁଷ୍ଠାନ, ପର୍ଯ୍ୟଟନ କ୍ଷେତ୍ର, ସୋରଡ଼ା ଜଳଭଣ୍ଡାର ବିସ୍ଥାପିତଙ୍କ ଜମି ସମସ୍ୟାର ସମାଧାନ ହୋଇ ଖୁବ୍‌ଶୀଘ୍ର ପଟ୍ଟା ମିଳିବ।

ଏଥିପାଇଁ ଗଞ୍ଜାମ ଜିଲାର ନିର୍ବାଚନମଣ୍ଡଳୀକୁ ମିଳିଛି ୨୫୧.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀଗୁଡ଼ଇକ ହେଲା ଭଞ୍ଜନଗର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ସୋରଡ଼ା, ସାନଖେମୁଣ୍ଡି, ଗୋପାଳପୁର, ଆସ୍କା, ଚିକିଟି, ହିଞ୍ଜିଳିକାଟୁ, ପୋଲସରା ଓ କବିସୂର୍ଯ୍ୟନଗର।

ଏହିସବୁ ନିର୍ବାଚନମଣ୍ଡଳୀର ୨୨ଟି ବ୍ଲକର ୫୦୩ଟି ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ ହେବ। ସେହିପରି ସୁବର୍ଣ୍ଣପୁର ଜିଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀଗୁଡ଼ିକ ହେଲା ସୁବର୍ଣ୍ଣପୁର ଓ ବୀରମହାରାଜପୁର। ଏଥିରେ ୬ଟି ବ୍ଲକର ୧୦୯ଟି ପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ। ଆଜିର କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲାର ୧୨ଟି ଓ ସୁବର୍ଣ୍ଣପୁର ଜିଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। କେବଳ ଗଞ୍ଜାମ ଜିଲାରେ ୧ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ।

Share