ଜୟପୁର,୧୬।୫(ନି.ପ୍ର.): କୋରାପୁଟ ଜିଲା ଅମଲା ସଂଘ ସଦସ୍ୟମାନେ ରବିବାର କୋରାପୁଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସଂଘର ପୁରୁଣା ସଭାପତି ଓ ସମ୍ପାଦକ ଦାୟିତ୍ୱ ହସ୍ତାନ୍ତର କରୁ ନ ଥିବା ନେଇ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, କୋରାପୁଟ ଜିଲା ଅମଲା ସଂଘ ପୁରୁଣା କମିଟିର କାର୍ଯ୍ୟକାଳ ୨୦୧୮ରୁ ସରିଯାଇଛି। ରାଜ୍ୟ ସଂଘ ପୁରୁଣା କମିଟିକୁ ବିଘଟନ କରି ସେହି ସ୍ଥାନରେ ନୂତନ କମିଟିକୁ ଅନୁମୋଦନ କରିଥିଲେ। ଏହି ଅନୁମୋଦିତ ପତ୍ରର ନକଲ କୋରାପୁଟ ଜିଲାପାଳ, ଏସ୍ପି, ଗୃହ ଶାସନ ସଚିବ ଓ ନୂତନ କମିଟି ସମ୍ପାଦକ ଶଶୀଭୂଷଣ ଦାଶଙ୍କ ନିକଟକୁ ପଠାଯାଇଥିଲା। ଏଥିସହ ସଂଘ ବିରୋଧୀ କାର୍ଯ୍ୟ ପାଇଁ ସଂଘର ପୂର୍ବତନ ସଭାପତି ଓ ସମ୍ପାଦକଙ୍କୁ ସଂଘର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା। ନୂତନ କମିଟିକୁ ତୁରନ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନୂତନ କମିଟି ପକ୍ଷରୁ ମଧ୍ୟ ପୂର୍ବତନ ସମ୍ପାଦକଙ୍କୁ ଦାୟିତ୍ୱ ହସ୍ତାନ୍ତର ନିମନ୍ତେ ବାରମ୍ବାର ଅନୁରୋଧ କରାଯାଇଥିଲା। କିନ୍ତୁ ସେ ଦାୟିତ୍ୱ ହସ୍ତାନ୍ତର କରୁନାହାନ୍ତି। ୧୫ ତାରିଖ ରବିବାର ଦିନ ୧୦ଟାରେ ସମସ୍ତ ଅମଲାଙ୍କ ଉପସ୍ଥିତିରେ ଦାୟିତ୍ୱ ହସ୍ତାନ୍ତର କରିବେ ଓ ତା’ପରେ ଏକ ବୈଠକ ଅନୁଷ୍ଠିତ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ, ରବିବାର ଶତାଧିକ ଅମଲା ଆସିଥିଲେ। କିନ୍ତୁ ପୂର୍ବତନ ସମ୍ପାଦକ କିମ୍ବା ଅମଲା ସଂଘ ପୁରାତନ କମିଟିର ଜଣେ ବି ସଦସ୍ୟ ଆସି ନ ଥିଲେ। ଫଳରେ ଅମଲାମାନେ ଦିନ ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରି ପ୍ରଚଣ୍ଡ ଖରାରେ ରାଜରାସ୍ତାରେ ବୈଠକ କରିଥିଲେ। ଶେଷରେ ସେମାନେ କୋରାପୁଟ ଥାନାର ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି।