ବିକାଶ ଦୁବେଙ୍କ ଅପରାଧ ଦୁନିଆ ଛାଡ଼ିବାକୁ ଚାହୁଁଥିଲେ ଅମର, ଜାଣନ୍ତୁ ଏହାର କାରଣ

ଲକ୍ଷ୍ନୌ,୧୨ା୭: ଉତ୍ତରପ୍ରଦେଶର କାନପୁର ଏନ୍‌କାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ଡାହାଣ ହାତ ଥିଲେ ସାର୍ପ ସୁଟର ଅମର ଦୁବେ। ବର୍ତ୍ତମାନ ଦୁହିଁଙ୍କ ମୃତ୍ୟୁ ପରେ ନୂଆ ନୂଆ କଥା ଜାଣିବାକୁ ମିଳୁଛି। ଯେଉଁଦିନ ଅମରଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିଲା, ଏହାର ଠିକ୍‌ ୯ ଦିନ ପୂର୍ବରୁ ତାଙ୍କ ବିବାହ ହୋଇଥିଲା। ଏହି କଥା ଏବେ ସାମ୍ନାକୁ ଆସିଛି। ଅମର ବିବାହ ପରେ ଅପରାଧ ଦୁନିଆ ଅର୍ଥାତ୍‌ ଗୁଣ୍ଡାଗର୍ଦ୍ଦି ଛାଡ଼ି ସାଧାରଣ ଜୀବନ ଜିଇଁବାକୁ ଚାହୁଁଥିଲେ। କିନ୍ତୁ ବିକାଶଙ୍କ କବ୍‌ଜାରେ ରହି କିଛି କରିପାରୁ ନ ଥିଲେ।


ୟୁପି ଏସ୍‌ଟିଏଫ୍‌ ହମିରପୁରର ମୌଦହାଠାରେ ଜୁଲାଇ ୮ରେ ଅମରଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଫରିଦାବାଦରେ ବିକାଶ ଏବଂ ଅମରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଫରିଦାବାଦରେ ବିକାଶଙ୍କ ବନ୍ଧୁ ଶ୍ରବଣ ଏବଂ ଅଙ୍କୁର ମିଶ୍ରଙ୍କ ଘରେ ଦୁଇଜଣଙ୍କ ମଧ୍ୟରେ ଏହି ପାଟିତୁଣ୍ଡ ହୋଇଥିଲା। ଏହା ପରେ ଅମର ସେଠାରୁ ଚାଲିଯାଇଥିଲେ। ଶ୍ରବଣଙ୍କ ସ୍ତ୍ରୀ ଶାନ୍ତି କହିଛନ୍ତି, ଏନ୍‌କାଉଣ୍ଟର ପୂର୍ବରୁ ଅମର ମଧ୍ୟ ବିକାଶ ସହିତ ଫରିଦାବାଦରେ ଲୁଚିଥିଲେ। ଇନ୍ଦ୍ରା କଲୋନୀରେ ବିକାଶ ସହ ଝଗଡ଼ା ହେବା ପରେ ଅମର ନିଜ ଘରକୁ ଚାଲିଯାଇଥିଲେ। ଅମର ଏବଂ ବିକାଶ ଫୋନ୍‌ ଯୋଗେ କଥାବାର୍ତ୍ତା ହେଉଥିଲେ। ଅମର ବିକାଶଙ୍କୁ କହିଥିଲେ, ବିବାହ ପରେ ସେ ଅପରାଧ ଦୁନିଆ ଛାଡ଼ି ସାଧାରଣ ଜୀବନ ବିତାଇବାକୁ ଚାହୁଁଛନ୍ତି। କିନ୍ତୁ ବିକାଶ ଅମରଙ୍କୁ ଛାଡ଼ିବାକୁ ନାରାଜ ଥିଲେ। ଏହା ପରେ ହମିରପୁରରେ ଅମରଙ୍କୁ ଏନ୍‌କାଉଣ୍ଟରରେ ହତ୍ୟା କରାଯାଇଥିଲା।


ସୂଚନାଯୋଗ୍ୟ, ବିକାଶ ଦୁବେଙ୍କ ମାମୁ ଅତୁଲ ଦୁବେଙ୍କ କାକାପୁଅ ଭାଇ ଥିଲେ ଅମର। ଗ୍ରାମବାସୀ କୁହନ୍ତି, ବିକାଶ ଅମରଙ୍କୁ ଆଖିବୁଜି ଭରସା କରୁଥିଲେ। ଅମର ବିକାଶଙ୍କ ଡାହାଣ ହାତ ଥିଲେ। ଅମର ଗୁଳିଚାଳନା କରିବାରେ ମାହିର ଥିଲେ। ବିକାଶଙ୍କ ଗୋଟିଏ ଇସାରାରେ ସେ ଗୁଳି ଚଳାଇ ଲୋକଙ୍କ ଜୀବନ ନେଇ ଯାଉଥିଲେ।

Share