Categories: ଜାତୀୟ

‘ଅମର ଯବାନ ଜ୍ୟୋତି’ର ଠିକଣା ବଦଳିଲା

ନୂଆଦିଲ୍ଲୀ,୨୧।୧: ବଦଳିଲା ଠିକଣା। ଶୁକ୍ରବାର ଇଣ୍ଡିଆ ଗେଟ୍‌ରୁ ‘ଅମର ଯବାନ ଜ୍ୟୋତି’କୁ ଜାତୀୟ ଯୁଦ୍ଧ ସ୍ମାରକୀକୁ ସ୍ଥାନାନ୍ତର କରାଯାଇଛି। ଫଳରେ ଗତ ୫୦ ବର୍ଷ ଧରି ଜଳୁଥିବା ଅମର ଯବାନ ଜ୍ୟୋତିର ବିଲୟ ଘଟିଛି। ଜଣେ ମଶାଲ ବାହକଙ୍କ ଦ୍ୱାରା ଏହି ଜ୍ୟୋତିକୁ ଜାତୀୟ ସ୍ମାରକୀ ନିଆଯାଇଥିଲା। ପରେ ସେଠାରେ ଭାରତୀୟ ସେନା ପକ୍ଷରୁ ଶହୀଦ ଯବାନଙ୍କୁ ଗାର୍ଡ ଅଫ ଅନର୍‌ ଦିଆଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ପ୍ରକାଶ ଯେ, ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଯେଉଁ ଯବାନମାନେ ସହିଦ ହୋଇଥିଲେ, ସେମାନଙ୍କ ସ୍ମୃତିରେ ‘ଅମର ଯବାନ ଜ୍ୟୋତି’କୁ ଜଳାଯାଇଥିଲା।  ଏହି ଯୁଦ୍ଧରେ ଭାରତର ବିଜୟ ହୋଇଥିଲା। ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୨ ଜାନୁଆରୀ ୨୬ରେ ଅମର ଜ୍ୟୋତିର ଉଦ୍‌ଘାଟନ କରିଥିଲେ। ସେହିଭଳି ୨୦୧୯ରେ ଜାତୀୟ ଯୁଦ୍ଧ ସ୍ମାରକୀ ସ୍ଥାପନ ହୋଇଥିଲା। ଏଠାରେ ପ୍ରାୟ ୨୬,୦୦୦ ସହିଦ ଯବାନଙ୍କ ନାମ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି।

Share