ଭୂପିନ୍ଦରଙ୍କ ଗୋଲ୍‌କିପର ମନ୍ତବ୍ୟକୁ ଅମରଙ୍କ ସ୍ବାଗତ

ଭୁବନେଶ୍ୱର,୨୧।୧୦ (ସୁନୀତ ମିଶ୍ର): ୨୦୨୪ ନିର୍ବାଚନ ସରିବା ୩ ମାସରୁ ଅଧିକ ସମୟ ବିତି ଗଲାଣି। ହେଲେ ପରାଜୟକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି। ଜଣଙ୍କ ପରେ ଜଣେ ବରିଷ୍ଠ ବିଜେଡି ନେତା ଦଳୀୟ ନେତୃତ୍ୱ ଓ ଦ୍ୱିତୀୟ କ୍ଷମତା କେନ୍ଦ୍ରକୁ ନେଇ ଗଣମାଧ୍ୟମରେ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ରବିବାର ଭୁପିନ୍ଦର ସିଂ ମଧ୍ୟ ବିଜେଡିକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଆତ୍ମଘାତୀ ଗୋଲ୍‌ ହେଲେ ପରାଜୟ ସୁନିଶ୍ଚିତ। ଗୋଲ୍‌କିପର ଯଦି ସ୍ଲିପର ସେଲ ହେବେ, ତାହାହେଲେ କ’ଣ କରାଯାଇ ପାରିବ ବୋଲି କହି ପରୋକ୍ଷରେ ସେ ଦଳକୁ ଇଙ୍ଗିତ କରିଛନ୍ତି। ସେ ଆହୁରି କହିଛନ୍ତି, ରାଜନୀତି ହେଉଛି ସ୍ପୋଟର୍‌ସ ଭଳି ଟିମ୍‌ ଗେମ୍‌। ଏଠାରେ ବହୁତ ଖେଳାଳି ବାହାରିଲେଣି। କିଣାବିକା ମଧ୍ୟ ବଢୁଛି। ଏହାହିଁ ଭବିଷ୍ୟତର ରାଜନୀତି। ଯେଉଁ ସବୁ ପ୍ରତିଷ୍ଠାତା ସଦସ୍ୟ ଓ ବରିଷ୍ଠ ନେତାମାନେ ମତ ମନ୍ତବ୍ୟ ଦେଉଛନ୍ତି, ତାହା ତାଙ୍କ ମତ ନୁହେଁ ବରଂ ଲୋକଙ୍କ ମତ। ସଭାପତି ମଧ୍ୟ ତାକୁ ଖେଳୁଆଡ଼ ମନୋଭାବରେ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଏଭଳି ମନ୍ତବ୍ୟକୁୁ ଅମର ପ୍ରସାଦ ଶତପଥୀ ସ୍ବାଗତ କରିଛନ୍ତି। ସେ କହିଛନ୍ତି, ଭୂପିନ୍ଦର ଜଣେ ଖେଳାଳି। ତାଙ୍କ ବିବୃତ୍ତି ପ୍ରଣିଧାନଯୋଗ୍ୟ। ଆତ୍ମଘାତୀ ପାଇଁ ଯେ ଦଳ ହାରିଲା, ତାହା ବୁଝିବା କ’ଣ ଆଉ ବାକି ଅଛି କି। ନବୀନବାବୁଙ୍କ ପାଇଁ ଏଥର କିଛି ସଙ୍କଟ ନ ଥିଲା, ମାତ୍ର ସବୁ ଥାଇ ଏମିତି କ’ଣ ହେଲା, ଯେଉଁଥିପାଇଁ ଦଳ ହାରିଲା ବୋଲି ଅମର କହିଛନ୍ତି। ତେବେ ସେ ହେଉଛନ୍ତି ଦୁବ ଘାସ। ତେଣୁ ସେ ସବୁ ପରିସ୍ଥିତିକୁ ସାମ୍ନା କରି ପାରିବେ ବୋଲି ଅମର କହିଛନ୍ତି।

Share