Categories: ଜାତୀୟ

କଂଗ୍ରେସର ପରାଜୟ ପାଇଁ ଗାନ୍ଧୀ ପରିବାର ଦାୟୀ: ଅମରିନ୍ଦର

ଚଣ୍ଡିଗଡ଼,୧୫।୩ : ପଞ୍ଜାବ ସମେତ ୫ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଗାନ୍ଧୀ ପରିବାର ଦାୟୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ମୁଖ୍ୟ ଅମରିନ୍ଦର ସିଂ କହିଛନ୍ତି। କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ପରାଜୟ ପାଇଁ ଅମରିନ୍ଦରଙ୍କୁ ଦୋଷ ଦେବାକୁ ଉଦ୍ୟମ ହୋଇଥିବାରୁ ସେ ଏହାର କଡ଼ା ସମାଲୋଚନା କରିଛନ୍ତି। ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ବିବାଦରୁ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ। ଦଳ ଚରଣଜିତ୍‌ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲା। ଆମ୍‌ ଆଦ୍‌ମୀ ପାର୍ଟି ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ଚନ୍ନି ସରକାରଙ୍କୁ କ୍ଷମତାଚ୍ୟୁତ କରିଛି। ଅମରିନ୍ଦରଙ୍କ ଦଳକୁ ଗୋଟିଏ ହେଲେ ଆସନ ମିଳିନାହିଁ। ଗାନ୍ଧୀ ପରିବାରର ନେତୃତ୍ୱ ଉପରୁ ଦେଶବାସୀ ଆସ୍ଥା ହରାଇସାରିଲେଣି। ସମସ୍ତ ୫ ରାଜ୍ୟରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପାଇଁ ଏହି ପରିବାର ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି କ୍ୟାପ୍‌ଟେନ ଅମରିନ୍ଦର କହିଛନ୍ତି।

Share